ଅମ୍ଳ ବୃଷ୍ଟି
From Wikipedia, the free encyclopedia
ଆରମ୍ଭରୁ ମଣିଷର ପେଟକୁ ମୁଠାଏ ଦାନା ମିଳି ଗଲେ ବେଶ୍ ଆରାମରେ ଦିନଟା ସରୁଥିଲା । ଧୀରେ ଧୀରେ ଆଧୁନିକତା ନାମରେ ମଣିଷର ଅଭାବ ବଢ଼ି ବଢ଼ି ଚ଼ାଲିଲା । ନିଜର ଅସରନ୍ତି ଅଭାବକୁ ପୂରଣ କରିବାକୁ ଯାଇ ଯେଉଁ ସବୁ ପ୍ରୟାସ ଆରମ୍ଭ ହେଲା, ତା' ଭିତରୁ ଶିଳ୍ପବିପ୍ଳବ ଅନ୍ୟତମ । କିନ୍ତୁ, ମଣିଷର ଜାଣତରେ ହେଉ ବା ଅଜାଣତରେ ଏହି ବିପ୍ଳବ ଆମର ସନ୍ତୁଳିତ ପରିବେଶକୁ ନଷ୍ଟ କରିବାକୁ ଆରମ୍ଭକଲା । କେତେକ ଅଞ୍ଚଳରେ ଗଛଲତା ଆପେ ମରିବାକୁ ଲାଗିଲେ, ମାଟିର ଉର୍ବରତା କମିଗଲା, ମାଛଗୁଡ଼ିକ ଆପେ ଆପେ ମରିବାକୁ ଲାଗିଲେ ଓ ଏମିତି କେତେ କଅଣ । ଗବେଷଣାରୁ ଜଣା ପଡ଼ିଲା ଯେ ଏହି ପ୍ରକାରର କ୍ଷୟକ୍ଷତି ପାଇଁ ଏକ ବିଶେଷ ଜାତିର ବୃଷ୍ଟି ହିଁ ଦାୟୀ । ବର୍ତ୍ତମାନ ସେହି ବୃଷ୍ଟିକୁ 'ଅମ୍ଳବୃଷ୍ଟି' (ଏସିଡ୍ ରେନ୍) ବୋଲି କୁହାଯାଉଛି । ୧୮୭୨ ମସିହାରେ ରବର୍ଟ ଆଙ୍ଗୁସ୍ ସ୍ମିଥ୍ ନାମକ ଜଣେ ଇଂରେଜ ଜଳବାୟୁ ବିଶେଷଜ୍ଞଙ୍କଦ୍ୱାରା 'ଏସିଡ୍ ରେନ୍' ଶବ୍ଦର ଆରମ୍ଭ ହୋଇଥିଲା । ମାଞ୍ଚେଷ୍ଟର୍ (ଇଂଲଣ୍ଡ) ଅଞ୍ଚଳରେ ହେଇଥିବା କ୍ଷୟକାରୀ ବୃଷ୍ଟିର ବର୍ଣ୍ଣନା କରିବା ପରିପ୍ରେକ୍ଷୀରେ ଏହି ଶବ୍ଦର ବ୍ୟବହାର କରାଯାଇଥିଲା ।