ଗୋମୁହାଁ କୁମ୍ଭୀର
From Wikipedia, the free encyclopedia
ଗୋମୁହାଁ କୁମ୍ଭୀରର (ଈଂରାଜୀରେ Mugger Crocodile, ଜୀବବିଜ୍ଞାନ ନାମ Crocodylus Palustris) ଅନ୍ୟ କେତେକ ନାମ ହେଲା ଭାରତୀୟ କୁମ୍ଭୀର, ସିନ୍ଧୁ କୁମ୍ଭୀର, ପର୍ସୀୟ କୁମ୍ଭୀର ବା ମଗର ।[2] ଏହି କୁମ୍ଭୀରର ଜୀବବିଜ୍ଞାନ ନାମର ଅର୍ଥ ହେଲା ସନ୍ତସନ୍ତିଆ ସ୍ଥାନରେ ବାସ କରୁଥିବା କୁମ୍ଭୀର । ସମଗ୍ର ଭାରତୀୟ ଉପମହାଦ୍ୱୀପରେ ଏହି କୁମ୍ଭୀର ଦୃଶ୍ୟମାନ ହୁଅନ୍ତି । ଭାରତରେ ଦେଖାଯାଉଥିବା କୁମ୍ଭୀର ପ୍ରଜାତି ମଧ୍ୟରୁ ଗୋମୁହାଁ କୁମ୍ଭୀର ଅନ୍ୟତମ । ଅନ୍ୟ ଦୁଇ ପ୍ରଜାତିର କୁମ୍ଭୀର ହେଲେ ବଉଳା କୁମ୍ଭୀର ଓ ଥଣ୍ଟିଆ କୁମ୍ଭୀର ।[3] ଆକାରରେ ଗୋମୁହାଁ କୁମ୍ଭୀର ମଧ୍ୟମ ଆକାରର । ଏମାନେ ନଦୀ, ପୋଖରୀ, ହ୍ରଦ, ନଦୀକୂଳର ସନ୍ତସନ୍ତିଆ ସ୍ଥାନରେ ରହିବା ପସନ୍ଦ କରନ୍ତି ।[4] ଅଣ୍ଡିରା ଗୋମୁହାଁ କୁମ୍ଭୀରର ଲମ୍ବ ପ୍ରାୟ ୪-୫ ମିଟର୍ (୧୩-୧୬ ଫୁଟ୍) ହୋଇଥାଏ । ଅନ୍ୟ ସବୁ ପ୍ରଜାତିର କୁମ୍ଭୀରମାନଙ୍କ ପରି ମାଈ ଗୋମୁହାଁ କୁମ୍ଭୀରମାନଙ୍କ ଶରୀରର ଦୈର୍ଘ୍ୟ ଅଣ୍ଡରାମାନଙ୍କଠାରୁ କମ୍ ।[5] ଗୋମୁହାଁ କୁମ୍ଭୀରର ମୁଖାଗ୍ର ଅନ୍ୟ ପ୍ରଜାତିର କୁମ୍ଭୀରମାନଙ୍କଠାରୁ ଯଥେଷ୍ଟ ବଡ଼ (ପ୍ରାୟ ଗାଈ ପରି) ହୋଇଥିବାରୁ ଏହାର ଏପରି ନାମ ଦିଆଯାଇଛି । ବଡ଼ ମୁଖାଗ୍ର ପାଇଁ ଏହା ଆଲିଗେଟର୍ ଭଳି ମଧ୍ୟ ଦେଖାଯାଏ । ଏହାର ଚମଡ଼ା ବର୍ଦ୍ଧିତ ଓ ମୋଟା । ପରିପକ୍ୱ ବୟସରେ ଉପନୀତ ଗୋମୁହାଁ କୁମ୍ଭୀରମାନଙ୍କ ରଙ୍ଗ ଗାଢ଼ ପାଉଁଶିଆ ବା ମାଟିଆ ହୋଇଥିବା ବେଳେ ଶାବକମାନଙ୍କ ରଙ୍ଗ ହାଲୁକା କଳା ରଙ୍ଗର ହୋଇଥାଏ ।
ଗୋମୁହାଁ କୁମ୍ଭୀର (ମଗର) | |
---|---|
ଭାରତର ଉତ୍ତର ପ୍ରଦେଶରେ ପ୍ରବାହିତ ଚମ୍ବଲ ନଦୀର ଏକ ଗୋମୁହାଁ କୁମ୍ଭୀର | |
Conservation status | |
VU (IUCN ୩.୧)[1] | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Reptilia |
ଗଣ: | Crocodilia |
କୁଳ: | Crocodylidae |
ଉପକୁଳ: | Crocodylinae |
ପ୍ରଜାତି: | Crocodylus |
ଜାତି: | C. palustris |
ବାଇନୋମିଆଲ ନାମ | |
Crocodylus palustris Lesson, 1831[1] | |
Crocodylus palustris ପ୍ରଜାତିର ବ୍ୟାପ୍ତି କ୍ଷେତ୍ର |
ଗୋମୁହାଁ କୁମ୍ଭୀର ଏକ ଚତୁର ଓ କୁଶଳୀ ଶିକାରୀ ଜୀବ । ବିଭିନ୍ନ ପ୍ରାଣୀ ଏହାର ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ । ଗୋମୁହାଁ କୁମ୍ଭୀର ଛପି ରହି ଶିକାରକୁ ନିଜ ପାଖକୁ ଆସିବାର ସୁଯୋଗ ଦିଏ ଓ ତା’ପରେ ତାହା ଉପରେ ଅତର୍କିତ ଆକ୍ରମଣ କରିଥାଏ । ଗୋଳିଆ ପାଣିରେ ଏମାନଙ୍କ ଦେହର ରଙ୍ଗ ମିଶିଯାଏ, ତେଣୁ ଛପି ରହିଥିବା କୁମ୍ଭୀରକୁ ଚିହ୍ନଟ କରିବା ଅତି କଷ୍ଟକର । ଛପି ରହି ଗୋମୁହାଁ କୁମ୍ଭୀର ଶିକାର ଜନ୍ତୁକୁ ଜାବୁଡ଼ି ଧରିବାର ସୁଯୋଗ ଉଣ୍ଡୁଥାଏ । ମାଛ, ଅନ୍ୟ ସରୀସୃପ, ପକ୍ଷୀ ଓ କିଛି ସ୍ତନ୍ୟପାୟୀ ଇତ୍ୟାଦି ଜୀବଙ୍କୁ ଏମାନେ ଆହାରଣ କରିଥାନ୍ତି । ଶୀତଋତୁ ଗୋମୁହାଁ କୁମ୍ଭୀରଙ୍କର ପ୍ରଜନନ ସମୟ । ମାଈ କୁମ୍ଭୀରମାନେ ନିଜ ବସାରେ ବା ସ୍ଥଳଭାଗରେ ଖୋଳିଥିବା ନିଜ ଗାତରେ ଅଣ୍ଡା ଦିଅନ୍ତି । ଶାବକର ଲିଙ୍ଗ ଅଣ୍ଡା ଉଷୁମାଇବା ବେଳର ତାପମାତ୍ରା ଉପରେ ନିର୍ଭର କରେ । ଗୋମୁହାଁ କୁମ୍ଭୀରର ଆକାର ମନୁଷ୍ୟଙ୍କଠାରୁ ଯଥେଷ୍ଟ ବଡ଼ ହୋଇଥିବାରୁ ବେଳେବେଳେ ମନୁଷ୍ୟଙ୍କ ପ୍ରତି ବିପଦ ସୃଷ୍ଟି କରିଥାନ୍ତି । କିନ୍ତୁ ଗୋମୁହାଁ କୁମ୍ଭୀର ଏକା ଜଳବାୟୁରେ ବାସ କରୁଥିବା ବଉଳା କୁମ୍ଭୀର ପରି ଆକ୍ରାମକ ନୁହେଁ । ବଉଳା କୁମ୍ଭୀର ବସବାସ କରୁଥିବା ଇଲାକାରୁ ଗୋମୁହାଁ କୁମ୍ଭୀରମାନେ ଦୂରେଇ ରହିବାକୁ ଚେଷ୍ଟା କରନ୍ତି ।[6] ଗୋମୁହାଁ କୁମ୍ଭୀରମାନଙ୍କଠାରେ ସାମାଜିକ ପ୍ରବୃତ୍ତି ପରିଲକ୍ଷିତ ହୁଏ । ଖରା ପୋଇଁବା, ଖାଇବା ଇତ୍ୟାଦି ସମୟରେ ଗୋମୁହାଁ କୁମ୍ଭୀରମାନେ ପରସ୍ପର ସହିତ ଝଗଡ଼ା କରିବା ଖୁବ୍ କମ୍ ସମୟରେ ଦେଖାଯାଏ ।