ଚିତାବାଘ
From Wikipedia, the free encyclopedia
ଚିତାବାଘ (ଈଂରାଜୀରେ The Cheetah ଓ ଜୀବ ବିଜ୍ଞାନ ନାମ Acinonyx jubatus) ଏକ ବିଲେଇ ଜାତୀୟ ମାଂସଭୋଜୀ ଜୀବ । ବର୍ତ୍ତମାନ ସମୟରେ ଏହି ଜୀବ ମୁଖ୍ୟତଃ ପୂର୍ବ ଆଫ୍ରିକା, ଦକ୍ଷିଣ ଆଫ୍ରିକା ଓ ଇରାନର କେତେକ ସ୍ଥାନରେ ଦେଖାଯାଏ । ଏକିନୋନିକ୍ସ୍ ପ୍ରଜାତିର ଚିତାବାଘର ପ୍ରଥମ ବର୍ଣ୍ଣନା ୧୭୭୫ ମସିହାରେ ଜୋହାନ୍ ଡାନିଏଲ୍ ଭୋନ୍ ସ୍କ୍ରେବର୍ (Johann Christian Daniel von Schreber)ଙ୍କ ଲେଖାରେ ମିଳେ । ଚିତାବାଘର ଶରୀର ପତଳା, ମୁଣ୍ଡ ଛୋଟ, ଶରୀର ଚିତାଦାଗରେ ପୂର୍ଣ୍ଣ, ଗୋଡ଼ଗୁଡ଼ିକ ପତଳା ଓ ଲମ୍ବା ଓ ଲାଞ୍ଜ ଲମ୍ବା । ଏହାର ନାକ ଓ ଆଖି ମଝିରେ ଲୁହ ଗଡ଼ିଲା ପରି ଏକ କଳାଚିହ୍ନ ଥାଏ । ଶରୀର ଗଠନ ଦୃଷ୍ଟିରୁ ଚିତାବାଘ ପତଳା ଓ ହାଲୁକା ଯାହା ବିଲେଇ ପ୍ରଜାତିର ଅନ୍ୟ ଜୀବ ଯଥା ମହାବଳ ବାଘ, ସିଂହ, କଲରାପତରିଆ ବାଘ ଇତ୍ୟାଦିଙ୍କ ଶରୀର ଗଠନର ସମ୍ପୂର୍ଣ୍ଣ୍ଣ ବିପରୀତ । ବରଂ କୁଗାର୍ ପ୍ରଜାତିର ଜୀବଙ୍କ ସହ ଏହାର ଅଧିକ ସାମଞ୍ଜସ୍ୟ ରହିଛି । ଭୂମିରୁ ଚିତାବାଘର କାନ୍ଧର ଉଚ୍ଚତା ପ୍ରାୟ ୭୦-୯୦ ସେଣ୍ଟିମିଟର୍ ହୋଇଥିବା ବେଳେ ଏମାନଙ୍କ ଓଜନ ପ୍ରାୟ ୨୧-୭୨ କିଲୋଗ୍ରାମ୍ ମଧ୍ୟରେ ରହିଥାଏ । ଏମାନେ କଲରାପତରିଆ ବାଘଠାରୁ ସାମାନ୍ୟ ଉଚ୍ଚ ହୋଇଥିବା ବେଳେ ସିଂହମାନଙ୍କ ତୁଳନାରେ ଖୁବ୍ ଛୋଟ । ଏମାନଙ୍କ ହଳଦିଆ ବା ଧୁସରିଆ ରଙ୍ଗର ଚମଡ଼ା ପ୍ରାୟ ୨୦୦୦ ଚିତା ଚିତା ଦାଗରେ ସଜାଇ ହୋଇଥାଏ ।
ଚିତାବାଘ ଜୀବାଶ୍ମ କାଳ: ପ୍ଲାଇଷ୍ଟୋସିନ୍–ହୋଲୋସିନ୍, 1.9–0 Ma PreЄ
Є
O
S
D
C
P
T
J
K
Pg
N
↓ | |
---|---|
ଦକ୍ଷିଣ ଆଫ୍ରିକୀୟ ଚିତାବାଘ (Acinonyx jubatus jubatus) | |
ଚିତାବାଘର ଶବ୍ଦ | |
Conservation status | |
VU (IUCN୩.୧)[1] | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ମାମାଲିଆଫୋର୍ମ୍ସ |
ଶ୍ରେଣୀ: | ମାମାଲିଆ |
ବର୍ଗ: | କାର୍ନିଭୋରା |
Suborder: | Feliformia |
Family: | Felidae |
Genus: | Acinonyx |
ଜାତି: | A. jubatus |
ବାଇନୋମିଆଲ ନାମ | |
Acinonyx jubatus ଜୋହାନ୍ ଖ୍ରୀଷ୍ଟିୟାନ୍ ଡାନିଏଲ୍ ଭୋନ୍ ସ୍କ୍ରେବର୍, ୧୭୭୫ | |
ଉପ-ପ୍ରଜାତି | |
| |
ଚିତାବାଘର ଉପସ୍ଥିତି ରହିଥିବା ଅଞ୍ଚଳ Former range Low density Medium density High density |
ଚିତାବାଘ ମୁଖ୍ୟତଃ ଏକ ଦିବାଚର ପ୍ରାଣୀ ଓ ଏମାନେ ଦିନବେଳେ ଶିକାର କରନ୍ତି । ପ୍ରାପ୍ତବୟସ୍କ ଅଣ୍ଡିରା ଚିତାବାଘ ଶିକାର ପାଇଁ କ୍ଷେତ୍ର ନିୟନ୍ତ୍ରଣ କରନ୍ତି, କିନ୍ତୁ ଏମାନଙ୍କଠାରେ ସାମାଜିକ (ମିଳିମିଶି ଦଳରେ ରହିବା) ମନୋଭାବ ମଧ୍ୟ ଦେଖାଯାଇଥାଏ । କେତେକ ସମୟରେ ଚିତାବାଘ ଭାଈମାନଙ୍କ ଗୋଷ୍ଠୀ ମିଳିମିଶି ରହିବା ଓ ଶିକାର କରିବା ଦେଖାଯାଏ । ମାଈ ଚିତାବାଘମାନଙ୍କଠାରେ ଶିକାର କ୍ଷେତ୍ର ନିୟନ୍ତ୍ରଣ ପ୍ରବୃତ୍ତି ଦେଖାଯାଏ ନାହିଁ । ମାଈମାନେ ଏକାକୀ କିମ୍ବା ନିଜ ପରିବାର ସହିତ ରହନ୍ତି । ଚିତାବାଘ ମାଂସଭୋଜୀ ପ୍ରାଣୀ ଓ ସାଧାରଣତଃ ଆଣ୍ଟିଲୋପ୍ ହରିଣ (କୁଟୁରା ଭଳି ଜୀବ) ବା ଥୋମସନ୍ ଗ୍ୟାଜେଲ୍ ହରିଣଙ୍କ ଶିକାର କରନ୍ତି । ଚିତାବାଘ ଶିକାରର ଅଜାଣତରେ ତାହାର ୧୦୦ରୁ ୩୦୦ ମିଟର୍ ଦୂରତା ପର୍ଯ୍ୟନ୍ତ ଛପି ଛପି ତା’ର ଅନୁସରଣ କରେ ଓ ତାହାପରେ ଶିକାରକୁ ଗୋଡ଼ାଇ ଧରିବାକୁ ଚେଷ୍ଟା କରେ । ଦୌଡ଼ୁଥିବା ଅବସ୍ଥାରେ ଶିକାରକୁ ପକାଇ ଦେଇ ଓ ତାହାର ଶ୍ୱାସରୁଦ୍ଧ କରି ହତ୍ୟା କରେ । ଚିତାବାଘର ଦ୍ରୁତ ବେଗର କାରଣ ହେଉଛି ତାହାର ଶରୀର ଗଠନ । ସ୍ଥଳଚର ପ୍ରାଣୀଙ୍କ ମଧ୍ୟରେ ଚିତାବାଘ ଦ୍ରୁତତମ । ଶିକାର କରୁଥିବା ଅବସ୍ଥାରେ ଚିତାବାଘର ହାରାହାରି ବେଗ ପ୍ରାୟ ୬୪ କି.ମି. ପ୍ରତି ଘଣ୍ଟା ହୋଇଥାଏ । ଶିକାରକୁ ଗୋଡ଼ାଇବା ବେଳେ ଚିତାବାଘ ଖୁବ୍ କମ୍ ସମୟପାଇଁ ପ୍ରାୟ ୧୧୨ କି.ମି. ପ୍ରତି ଘଣ୍ଟାର ବେଗ ମଧ୍ୟ ପ୍ରାପ୍ତ କରିଥାଏ ବୋଲି କୁହାଯାଏ । କେତେକ ସଦ୍ୟ ଗଣନାରୁ କିନ୍ତୁ ଏହାର ସତ୍ୟତା ପ୍ରମାଣିତ ହୋଇପାରି ନାହିଁ । ଚିତାବାଘମାନେ ବର୍ଷସାରା ପ୍ରଜନନଶୀଳ ଥାଆନ୍ତି । ଏମାନଙ୍କ ଗର୍ଭଧାରଣ ସମୟ ପ୍ରାୟ ୩ ମାସ ଓ ଏକାସାଙ୍ଗରେ ମାଈ ଚିତାବାଘ ୩ରୁ ୫ଟି ଛୁଆଙ୍କୁ ଜନ୍ମ ଦେଇଥାଏ । ଗୋଟିଏ ଥରରେ ଏକରୁ ଆଠଟି ଛୁଆ ଜନ୍ମ ହେବାର ମଧ୍ୟ ଦେଖାଯାଇଛି । ଛୁଆଗୁଡ଼ିକ ପ୍ରାୟ ୬ ମାସର ହୋଇଯିବା ପରେ ମା’ ଚିତାବାଘ ଛୁଆଙ୍କୁ ଛାଡ଼ି ଚାଲିଯାଏ ଓ ଛୁଆମାନେ ମିଶି କିଛି ସମୟ ପର୍ଯ୍ୟନ୍ତ ଶିକାର କରନ୍ତି । ସ୍ତନ୍ୟପାୟୀ ଜୀବଙ୍କ ମଧ୍ୟରେ ଶୈଶବ ଅବସ୍ଥାରେ ବହୁତ ଜୀବ ମୃତ୍ୟୁବରଣ କରନ୍ତି ଓ ଏହି ମୃତ୍ୟୁହାର ଚିତାବାଘଙ୍କ ମଧ୍ୟରେ ସର୍ବାଧିକ (ବିଶେଷ କରି ସେରେଙ୍ଗେଟି ତୃଣଭୂମି ଅଞ୍ଚଳରେ ଏହା ସର୍ବାଧିକ) । ଚିତାବାଘମାନେ ଶୁଷ୍କ ଜଙ୍ଗଲ, ବୁଦାଳିଆ ଜଙ୍ଗଲ ଓ ତୃଣଭୂମି ପରି ଭିନ୍ନ ଭିନ୍ନ ସ୍ଥାନରେ ରହନ୍ତି ।
ଏହାର ଶିକାର ଧରିବାର କଳା ଓ ଦକ୍ଷତା ଯୋଗୁଁ ପ୍ରାଚୀନ ସମୟରେ ଚିତାବାଘକୁ ମଣିଷ ପୋଷା ଜୀବ ଭାବେ ରଖୁଥିଲା ଓ ଶିକାର କରିବା ପାଇଁ ଚିତାବାଘକୁ ବ୍ୟବହାର କରୁଥିଲା । ସାହିତ୍ୟ, କଳାକୃତି ଓ ବିଜ୍ଞାପନ ଇତ୍ୟାଦିରେ ଚିତାବାଘଙ୍କ ବହୁଳ ଉଲ୍ଲେଖ ରହିଛି ।
ଦ୍ୱାଦଶ ଶତାବ୍ଦୀରେ ଚିତାବାଘମାନଙ୍କର ଅତ୍ୟଧିକ ଶିକାର ହେବା ଯୋଗୁଁ ଏମାନଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି । ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (International Union for Conservation of Nature-IUCN) ଚିତାବାଘକୁ “vulnerable” ଶ୍ରେଣୀଭୁକ୍ତ (ଯେଉଁ ଜୀବ ଲୋପ ପାଇନାହାନ୍ତି କିନ୍ତୁ ସଂରକ୍ଷଣ ନ ହେଲେ ଲୁପ୍ତପ୍ରାୟ ବା ବିଲୁପ୍ତ ଶ୍ରେଣୀରେ ପରିଗଣିତ ହେବେ) କରିଛି । ଅନେକ ଆଫ୍ରିକୀୟ ଦେଶ ଚିତାବାଘର ସଂରକ୍ଷଣ ପାଇଁ ଚେଷ୍ଟାରତ । ୨୦୧୬ର ଶେଷଭାଗ ଓ ୨୦୧୭ର ପ୍ରାରମ୍ଭରେ ସମଗ୍ର ବିଶ୍ୱରେ ଚିତାବାଘଙ୍କ ସଂଖ୍ୟା ହ୍ରାସ ପାଇ ପ୍ରାୟ ୭୧୦୦ ହୋଇଯାଇଥିଲା । ବାସସ୍ଥାନ କ୍ଷୟ, ଅବୈଧ ଶିକାର, ଅବୈଧ ପଶୁ ବ୍ୟବସାୟ, ମନୁଷ୍ୟଙ୍କ ସହ ସଂଘର୍ଷ ଇତ୍ୟାଦି ଏହାର ପ୍ରମୁଖ କାରଣ । ଅନେକ ଗବେଷକ ମତ ପୋଷଣ କରିଛନ୍ତି ଯେ ତୁରନ୍ତ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘର ତାଲିକାରେ ଚିତାବାଘକୁ ଲୁପ୍ତପ୍ରାୟ (Red List) ଘୋଷଣା କରାଯିବା ଦରକାର ଓ ଏହାର ସଂରକ୍ଷଣ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ।