ବାର୍ସେଲୋନା ଫୁଟବଲ କ୍ଲବ
From Wikipedia, the free encyclopedia
ବାର୍ସେଲୋନା ଫୁଟବଲ କ୍ଲବ୍ ବା ଫୁଟବଲ କ୍ଲବ୍ ବାର୍ସେଲୋନା (ସ୍ପେନୀୟ ଭାଷାରେ Futbol Club Barcelona) ସ୍ପେନର ବାର୍ସେଲୋନା ସହରର ଏକ ପ୍ରସିଦ୍ଧ ଫୁଟବଲ କ୍ଲବ । ଏହି ଫୁଟବଲ କ୍ଲବ୍ ସ୍ପେନର ଲା ଲିଗା ଫୁଟବଲ ପ୍ରତିଯୋଗିତାରେ ଖେଳିଥାଏ । ଫୁଟବଲ ପ୍ରେମୀ ଓ ସମର୍ଥକମାନେ ଏହାକୁ ଆଦରରେ ବାର୍ସା, ଏଫ୍ସିବି ବା କେବଳ ବାର୍ସେଲୋନା ବୋଲି କୁହନ୍ତି ।
ପୂର୍ଣ୍ଣ ନାମ | ଫୁଟବଲ କ୍ଲବ୍ ବାର୍ସେଲୋନା | |||
---|---|---|---|---|
ଡାକ ନାମ | ବାର୍ସା ବା ବ୍ଲାଉଗ୍ରାନା | |||
କ୍ଷୁଦ୍ର ନାମ | ଏଫ୍ସିବି (FCB) | |||
ପ୍ରତିଷ୍ଠା | ୨୯-ନଭେମ୍ବର-୧୮୯୯ | |||
ଷ୍ଟାଡ଼ିୟମ୍ | କ୍ୟାମ୍ପ୍ ନୋଉ | |||
ଦର୍ଶକ କ୍ଷମତା | ୯୯,୩୫୪[1] | |||
ଅଧ୍ୟକ୍ଷ | ଚାର୍ଲସ ଟୁସକ୍ୱେଟ୍ସ୍ (ସାମୟିକ) | |||
ମୁଖ୍ୟ ପ୍ରଶିକ୍ଷକ | ରୋନାଲ୍ଡ କୋମାନ୍ | |||
ଲିଗ୍ | ଲା ଲିଗା | |||
୨୦୧୯-୨୦ କ୍ରୀଡ଼ାବର୍ଷ (ସିଜନ୍) | ଲା ଲିଗା (୨ୟ) | |||
ୱେବସାଇଟ୍ | Club website | |||
| ||||
Current season |
୧୮୯୯ ମସିହାରେ ହୋଆନ୍ ଗାମ୍ପରଙ୍କ ନେତୃତ୍ୱରେ କିଛି ସ୍ୱିସ୍, ସ୍ପେନୀୟ, ଇଂରାଜୀ ଓ କାଟାଲାନ୍ ଫୁଟବଲ ଖେଳାଳି ମିଶି ଏହି କ୍ଲବ୍ର ପ୍ରତିଷ୍ଠା କରିଥିଲେ । ପରେ ଏହି କ୍ଲବ୍ କାଟାଲାନ୍ ସଂସ୍କୃତିର ଏକ ସଙ୍କେତ ଚିହ୍ନ ପାଲଟି ଯାଇଥିଲା । ବାର୍ସେଲୋନା ଫୁଟବଲ କ୍ଲବର ଆଦର୍ଶ ବାକ୍ୟ ହେଉଛି - "ମେସ୍ କୋ ଉନ୍ କ୍ଲୁବ୍ (Més que un club)" (ଅର୍ଥାତ୍ - "କେବଳ କ୍ଲବ୍ଠାରୁ ଆହୁରି ଅଧିକ") । ବାର୍ସେଲୋନା ଫୁଟବଲ କ୍ଲବ୍ର ସମର୍ଥକମାନେ ଏହି କ୍ଲବ୍ ଦଳର ମାଲିକ ତଥା ନିୟନ୍ତ୍ରଣକାରୀ ଯାହା ଅନ୍ୟ ପ୍ରମୁଖ ଫୁଟବଲ କ୍ଲବ୍ମାନଙ୍କରେ ଦେଖିବାକୁ ମିଳେ ନାହିଁ । ଏହି କ୍ଲବ୍ର ବ୍ୟାବସାୟିକ ମୂଲ୍ୟ ପ୍ରାୟ ୪୦୬ କୋଟି ଆମେରିକୀୟ ଡଲାର୍ ଓ ବିଶ୍ୱର ସବୁଠାରୁ ଧନୀ ଫୁଟବଲ କ୍ଲବ୍ ତାଲିକାରେ ଏହାର ସ୍ଥାନ ଚତୁର୍ଥ । ଏହି କ୍ଲବ୍ର ବାର୍ଷିକ ଆୟ ୮୪୦.୮ କୋଟି ୟୁରୋ ହୋଇଥିବାରୁ ଡେଲୋଏ ଫୁଟବଲ ମନି ଲିଗ୍ ଏହାକୁ ବିଶ୍ୱର ସବୁଠାରୁ ଧନୀ ଫୁଟବଲ କ୍ଲବ୍ ବୋଲି ମାନ୍ୟତା ଦେଇଥିଲା ।[2][3] ହାଉମେ ପିକାସ୍ ଓ ଜୋସେଫ୍ ମାରିଆ ଏସ୍ପିନାସଙ୍କ ଲିଖିତ "କାଣ୍ଟ୍ ଡେଲ୍ ବାର୍ସା (Cant del Barça)" ଏହି କ୍ଲବ୍ର ଦଳୀୟ ଗୀତ (ଆନ୍ଥେମ୍) ।[4] ସାଧାରଣତଃ ବାର୍ସେଲୋନା ଫୁଟବଲ ଦଳର ଖେଳାଳିମାନେ ନୀଳ ଓ ଲାଲ୍ ପଟି ପଡ଼ିଥିବା ପୋଷାକ ପିନ୍ଧି ଖେଳୁଥିବାରୁ ଏହି କ୍ଲବ୍ର ଆଉ ଏକ ଡାକ ନାମ ହେଲା ବ୍ଲାଉଗ୍ରାନା (Blaugrana) (ବ୍ଲାଉ – ନୀଳ, ଗ୍ରାନା – ରକ୍ତ ପରି ଲାଲ) ।
ସ୍ପେନର ଘରୋଇ କ୍ଲବ୍ ଫୁଟବଲ ପ୍ରତିଯୋଗିତାମାନଙ୍କରେ ବାର୍ସେଲୋନା ୭୪ ଥର ବିଭିନ୍ନ ଟ୍ରଫି ଜିତିଛି : ୨୬ ଥର ଲା ଲିଗା, ୩୦ ଥର କୋପା ଡେଲ୍ ରେ, ୧୩ ଥର ସୁପରକୋପା ଡି ଇସ୍ପାନା, ୩ ଥର କୋପା ଇଭା ଦୁଆର୍ତେ, ଏବଂ ୨ ଥର କୋପା ଡେ ଲା ଲିଗା । ଅନ୍ତର୍ଜାତୀୟ କ୍ଲବ୍ ଫୁଟବଲ ପ୍ରତିଯୋଗିତାମାନଙ୍କରେ ବାର୍ସେଲୋନା ୨୦ ଥର ବିଭିନ୍ନ ଟ୍ରଫି ଜିତିଛି : ୫ ଥର ୟୁଇଫା ଚାମ୍ପିୟନ୍ସ ଲିଗ, ୪ ଥର ୟୁଇଫା କପ୍ ୱିନର୍ସ କପ, ୫ ଥର ୟୁଇଫା ସୁପର କପ, ୩ ଥର ଇଣ୍ଟର୍-ସିଟିସ୍ ଫେୟାର୍ସ କପ ଓ ୩ ଥର ଫିଫା କ୍ଲବ୍ ବିଶ୍ୱକପ ।[5] ୧୯୯୭, ୨୦୦୯, ୨୦୧୧, ୨୦୧୨ ଓ ୨୦୧୫ ମସିହାରେ ଅନ୍ତରାଷ୍ଟ୍ରୀୟ ଫୁଟବଲ ଇତିହାସ ଓ ପରିସଂଖ୍ୟାନ ସଂଘ (International Federation of Football History & Statistics)ଦ୍ୱାରା ପ୍ରକାଶିତ ବିଶ୍ୱ ସ୍ତରର ଶ୍ରେଷ୍ଠ କ୍ଲବ୍ ତାଲିକାରେ ବାର୍ସେଲୋନା ଫୁଟବଲ କ୍ଲବ୍ ସର୍ବୋଚ୍ଚ ସ୍ଥାନ ଅକ୍ତିଆର କରିଥିଲା ।[6][7] ୨୦୧୬ ମସିହାରେ ଏହା ୟୁଇଫା କ୍ଲବ୍ ତାଲିକାରେ ଦ୍ୱିତୀୟ ଶ୍ରେଷ୍ଠ ଦଳର ମାନ୍ୟତା ପାଇଥିଲା ।[8] ସ୍ପେନର ଆଉ ଏକ ଫୁଟବଲ କ୍ଲବ୍ ରିଆଲ ମାଦ୍ରିଦ ହେଉଛି ବାର୍ସେଲୋନା ଫୁଟବଲ ଦଳର ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଏମାନଙ୍କ ମଧ୍ୟରେ ହେଉଥିବା ଫୁଟବଲ ମ୍ୟାଚକୁ ଏଲ୍ କ୍ଲାସିକୋ (El Clásico) ବୋଲି କୁହାଯାଇଥାଏ ।
ବିଶ୍ୱର ବହୁ ଦେଶରେ ବାର୍ସେଲୋନା ଫୁଟବଲ ଦଳର ସମର୍ଥକ ରହିଛନ୍ତି ଏବଂ ସାମାଜିକ ମାଧ୍ୟମରେ ଏହାର ଅନୁସରଣକାରୀଙ୍କ (ଫଲୋଅର୍) ସଂଖ୍ୟା ସମସ୍ତ ଖେଳର ଦଳଙ୍କ ମଧ୍ୟରେ ସର୍ବାଧିକ ।[9][10] ବାର୍ସେଲୋନା ଫୁଟବଲ କ୍ଲବର ଖେଳାଳିମାନେ ୧୨ ଥର ବଲୁନ୍ ଡି’ଓର୍ ଓ ୭ ଥର ଫିଫା ୱଲ୍ଡ ପ୍ଲେୟର୍ ଅଫ୍ ଦ ଇୟର୍ ସମ୍ମାନ ଲାଭ କରିଛନ୍ତି । ରୋନାଲ୍ଡୋ (ବ୍ରାଜିଲ), ରୋନାଲ୍ଡିନୋ, ରିଭାଲ୍ଡୋ, ରୋମାରିଓ ପ୍ରଭୃତି ପ୍ରଖ୍ୟାତ ଖେଳାଳି ବାର୍ସେଲୋନା କ୍ଲବ୍ ପାଇଁ ଖେଳିଛନ୍ତି । ୨୦୧୦ ମସିହାରେ ବାର୍ସେଲୋନା କ୍ଲବ୍ର ତରୁଣ ଦଳରୁ ତିନି ଜଣ ଖେଳାଳି ଲିଓନେଲ୍ ମେସି, ଆଣ୍ଡ୍ରେଆସ୍ ଇନିଏସ୍ତା ଓ ଜାଭି ବାର୍ସେଲୋନା ମୁଖ୍ୟ ଦଳ ପାଇଁ ଖେଳିବା ଆରମ୍ଭ କରିଥିଲେ ଏବଂ ସେହି ବର୍ଷର ଫିଫା ବେଲୁନ୍ ଡି’ଓର୍ ସମ୍ମାନ ହାସଲ କରିଥିଲେ । ଗୋଟିଏ ଫୁଟବଲ ଦଳରୁ ୩ ଜଣ ଖେଳାଳି ଏକା ବର୍ଷରେ ଏହି ପୁରସ୍କାର ପାଇବା ଘଟଣା ପୂର୍ବରୁ କେବେ ହୋଇନଥିଲା । ବାର୍ସେଲୋନା କ୍ଲବ୍ ପାଇଁ ଖେଳୁଥିବା ଖେଳାଳିମାନେ ୮ ଥର “ୟୁରୋପୀୟ ଗୋଲ୍ଡେନ୍ ସୁ” ପୁରସ୍କାର ମଧ୍ୟ ଜିତିଛନ୍ତି ।
ବାର୍ସେଲୋନା ଫୁଟବଲ କ୍ଲବ୍, ରିଆଲ୍ ମାଦ୍ରିଦ୍ ଓ ଆଥଲେଟିକ୍ ବିଲ୍ବାଓ – ଏହି ତିନି କ୍ଲବ୍ ମିଶି ଲା ଲିଗା ପ୍ରିମେରା ଡିଭିଜନ୍ ପ୍ରତିଷ୍ଠା କରିଥିଲେ ଏବଂ ଏମାନେ ୧୯୨୯ରେ ଆରମ୍ଭ ହୋଇଥିବା ଲା ଲିଗାରେ ଆଜି ଯାଏଁ ସବୁ ବର୍ଷ ଯୋଗ୍ୟତା ହାସଲ କରିଆସିଛନ୍ତି । ୨୦୦୯ ମସିହାରେ ପ୍ରଥମ ସ୍ପେନୀୟ କ୍ଲବ୍ ଦଳ ଭାବେ ବାର୍ସେଲୋନା ଲା-ଲିଗା, କୋପା ଡେଲ୍ରେ ଓ ୟୁଇଫା ଚାମ୍ପିୟନ୍ସ ଲିଗ୍ ଜିତି ମହାଦେଶୀୟ ତ୍ରି-ବିଜୟୀ ଦଳ ହୋଇଥିଲା । ସେହି ବର୍ଷ ବାର୍ସେଲୋନା କ୍ଲବ୍ ଦଳ ସୁପର୍କୋପା ଡି ଇସ୍ପାନା, ୟୁଇଫା ସୁପର କପ ଓ ଫିଫା କ୍ଲବ୍ ବିଶ୍ୱକପ ଜିତି ସେ ବର୍ଷର ୬ରୁ ୬ଟି ପ୍ରତିଯୋଗିତାରେ ବିଜୟ ଗୌରବ ଲାଭ କରିଥିବା ସ୍ପେନର ପ୍ରଥମ ଫୁଟବଲ କ୍ଲବ୍ ହୋଇଥିଲା ।[11] ୨୦୧୧ରେ ବାର୍ସେଲୋନା କ୍ଲବ୍ ପୁଣି ୟୁରୋପୀୟ ଚାମ୍ପିୟନ୍ ହେବା ସହ ୫ଟି ଟ୍ରଫି ଜିତିଥିଲା । ପେପ୍ ଗାର୍ଡିଓଲା ମୁଖ୍ୟ ପ୍ରଶିକ୍ଷକ ଥିବାବେଳେ ୪ ବର୍ଷରୁ କମ୍ ସମୟ ମଧ୍ୟରେ ବାର୍ସେଲୋନା କ୍ଲବ୍ ୧୪ଟି ଟ୍ରଫି ଜିତିଥିବାରୁ କେହି କେହି ସେ କାଳର ଦଳକୁ ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ଫୁଟବଲ ଦଳ ବୋଲି ମଧ୍ୟ କୁହନ୍ତି ।[12][13][14] ୬-ଜୁନ-୨୦୧୫ ମସିହାରେ ପଞ୍ଚମ ଥର ପାଇଁ ୟୁଇଫା ଚାମ୍ପିୟନ୍ସ ଲିଗ୍ ଜିତିଥିଲା । ଏଥି ସହିତ ବାର୍ସେଲୋନା ଦଳ ବିଶ୍ୱର ପ୍ରଥମ ୟୁରୋପୀୟ ଦଳ ଭାବେ ଦୁଇ ଥର ମହାଦେଶୀୟ ତ୍ରି-ବିଜୟୀ ଜିତିବାର ଗୌରବ ମଧ୍ୟ ଲାଭ କରିଥିଲା । ୨୦୧୮ ମସିହା ନଭେମ୍ବରରେ ଏହାର ପ୍ରମୁଖ ଦଳର ପରିଚାଳନା ପାଇଁ ୧୩ କୋଟି ଆମେରିକୀୟ ଡଲାରରୁ ଅଧିକ ବ୍ୟୟ କରିଥିଲା ଯାହା ଅନ୍ୟ କ୍ରୀଡ଼ା କ୍ଲବ୍ମାନଙ୍କ ମଧ୍ୟରେ ସର୍ବାଧିକ ଥିଲା ।[15][16]