କଲେରା
ମାନବ କ୍ଷୁଦ୍ର ଅନ୍ତନଳୀରେ ଜୀବାଣୁ ଭିବ୍ରିଓ କଲେରିର କେତେକ ପ୍ରଜାତିଦ୍ୱାରା ହେଉଥିବା ରୋଗ / From Wikipedia, the free encyclopedia
କଲେରା ମାନବ କ୍ଷୁଦ୍ର ଅନ୍ତନଳୀରେ ଜୀବାଣୁ ଭିବ୍ରିଓ କଲେରିର କେତେକ ପ୍ରଜାତିଦ୍ୱାରା ହେଉଥିବା ରୋଗର ନାମ । [1] ଓଡ଼ିଆରେ ଏହାକୁ ବିସୂଚିକା, ଓଲାଉଠା, ମହାମାରୀ ଓ ହଇଜା ନାମ ମଧ୍ୟ ଦିଆଯାଇଛି । ଏହାର ଲକ୍ଷଣ: ସାମାନ୍ୟରୁ ଗମ୍ଭୀର ଧରଣର ହୋଇପାରେ, କିଛି ବି ନ ହୋଇପାରେ । [2] ସ୍ୱାଭାବିକ ଲକ୍ଷଣ ମଧ୍ୟରେ ବହୁତ ପରିମାଣର ପାଣିଭଳି ତରଳ ଝାଡ଼ା କିଛି ଦିନ ହୁଏ । [3] ବାନ୍ତି ଓ ମାଂସପେଶୀ କ୍ରାମ୍ପ ହୋଇପାରେ । [2] ଅତ୍ୟଧିକ ତରଳ ଝାଡ଼ା ହେଲେ କିଛି ଘଣ୍ଟା ମଧ୍ୟରେ ଗମ୍ଭୀର ନିର୍ଜଳନ ଓ ଇଲେକ୍ଟ୍ରୋଲାଇଟ ଅସନ୍ତୁଳନ ହୁଏ । [3] ଏହାଦ୍ୱାରା ଆଖି କୋଟରଗତ ହୁଏ, ଚର୍ମ ଥଣ୍ଡା ହୁଏ ତଥା ଇଲାସ୍ଟିସିଟି କମିଯାଏ ଏବଂ ହାତ ଓ ପାଦର ଚର୍ମ କୁଞ୍ଚିତ ହୋଇଯାଏ । [4] ନିର୍ଜଳନ ଯୋଗୁ ଚର୍ମ ନୀଳ ହୋଇଯାଏ ଯାହାକୁ ସ୍ୟାନୋସିସ (cyanosis) କୁହାଯାଏ । [5] ଜୀବାଣୁ ପ୍ରବେଶ ପରଠାରୁ ୨ ଘଣ୍ଟାରୁ ୫ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ । [2]
କଲେରା | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Infectious disease |
ଆଇସିଡ଼ି-୧୦ | A00. |
ଆଇସିଡ଼ି-୯-ସିଏମ୍ | 001 |
ରୋଗ ଡାଟାବେସ | 29089 |
ମେଡ଼ିସିନ-ପ୍ଲସ | 000303 |
ଇ-ମେଡ଼ିସିନ | med/351 |
Patient UK | କଲେରା |
MeSH | D002771 |
ଅନେକ ପ୍ରକାର ଭିବ୍ରିଓ କଲେରି ଜୀବାଣୁର ପ୍ରଜାତିଦ୍ୱାରା କଲେରା ରୋଗ ହୁଏ; କେତେକ ପ୍ରଜାତି ଅନ୍ୟ ପ୍ରଜାତି ଅପେକ୍ଷା ଗମ୍ଭୀର ଧରଣର ରୋଗ କରନ୍ତି । ଅଧିକାଂଶ କ୍ଷେତ୍ରରେ ଜଳ ଓ ଖାଦ୍ୟରେ ଜୀବାଣୁ ମିଶ୍ରିତ ମଳ ଅପମିଶ୍ରିତ ଥିଲେ ଏହି ରୋଗ ବ୍ୟାପେ । [3] ଉତ୍ତମରୁପେ ରନ୍ଧାଯାଇନଥିବା ସାମୁଦ୍ରିକ ଖାଦ୍ୟ ଏହି ରୋଗର ସାଧାରଣ ଉତ୍ସ । [6] ମାନବ ଏକମାତ୍ର ପ୍ରାଣୀ ଯାହାକୁ ଏହି ରୋଗ ହୁଏ । ଅପରିଚ୍ଛନତା, ଅଶୁଦ୍ଧ ପାନୀୟ ଜଳ ଓ ଦାରିଦ୍ର୍ୟ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ । ମଳ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । [3] ଶୀଘ୍ର ନିର୍ଣ୍ଣୟ ନିମନ୍ତେ ଡିପସ୍ଟକ ପରୀକ୍ଷା ମିଳୁଛି କିନ୍ତୁ ଏହା ସଠିକ ନୁହେଁ । [7]
ଉନ୍ନତ ପରିଚ୍ଛନ୍ନତା ଓ ବିଶୁଦ୍ଧ ଜଳ ଯୋଗାଣଦ୍ୱାରା ଏହି ରୋଗ ପ୍ରତିରୋଧ କରାଯାଇପାରିବ । [4] କଲେରା ଟିକା ପାଟିରେ ଦିଆହୋଇଥିଲେ ପ୍ରାୟ ୬ମାସ ଧରି ସୁରକ୍ଷା ଦିଏ । ଏହାଦ୍ୱାରା ତରଳ ଝାଡ଼ା କରାଉଥିବା ଅନ୍ୟ ଏକ ଜୀବାଣୁ ଇ. କୋଲାଇଠାରୁ ମଧ୍ୟ ରକ୍ଷା ମିଳିଥାଏ । ଏହାର ପ୍ରାଥମିଲ ଚିକିତ୍ସା: ପାଟିରେ ତରଳ ପଦାର୍ଥ ସହିତ ସାମାନ୍ୟ ମିଠା ଓ ଲୁଣିଆ ଦ୍ରବଣ ଦେଇ ପୁନର୍ଜଳନ (rehydration) କରାଯାଏ । [3] ପେଜ ଓ ତୋରାଣି ଆଦି ଦେବାକୁ ପସନ୍ଦ କରାଯାଏ । [3] ପିଲାମାନଙ୍କୁ ଜିଙ୍କ ସପ୍ଲିମେଣ୍ଟ ଦେଲେ ଉପକାର ହୁଏ । [8] ଗମ୍ଭୀର ସମସ୍ୟା ଜନକ କଲେରା ଥିଲେ ଶୀରାମାଧ୍ୟମ ତରଳ ପଦାର୍ଥ ଯେପରିକି ରିଙ୍ଗର ଲାକ୍ଟେଟ ଦରକାର ହୁଏ ଓ ଆଣ୍ଟିବାୟୋଟିକ ଉପକାରୀ ହୁଏ । ଜୀବାଣୁ ପ୍ରଜାତି ନିମନ୍ତେ ପରୀକ୍ଷା କରି ନିର୍ଦ୍ଦିଷ୍ଟ ଆଣ୍ଟିବାୟୋଟିକ ଦିଆଯାଇପାରେ । [2]
ସାରା ପୃଥିବୀରେ ଏକ ହିସାବ ଅନୁସାରେ ୩ରୁ ୫ ନିୟୁତ ଲୋକଙ୍କୁ ଏହି ରୋଗ ଆକ୍ରମଣ କରେ ଓ ସନ ୨୦୧୦ରେ ଏହା ଯୋଗୁ ୫୮,୦୦୦ରୁ ୧,୩୦,୦୦୦ ମୃତ୍ୟୁ ହୋଇଥିଲା । [3][9] ଏହି ରୋଗକୁ ପାଣ୍ଡେମିକ (ବ୍ୟାପକ ମଡ଼କ ଯାହା ସର୍ବଦା ବିସ୍ତୃତ ସ୍ଥାନରେ ହୁଏ) ଆକାରରେ ବର୍ଗୀକରଣ କରାଯାଇଛି; ଏହା ବିକଶିତ ଦେଶମାନଙ୍କରେ କ୍ୱଚିତ ଦେଖାଯାଉଛି । ପିଲାମାନେ ଅଧିକ ରୋଗ ଭୋଗନ୍ତି । [3][10] କଲେରା ଉଭୟ ଏପିଡେମିକ ଓ ଏଣ୍ଡେମିକ ଆକାରରେ ଦେଖାଯାଏ । ଆଫ୍ରିକା ଓ ଦକ୍ଷିଣ-ପୂର୍ବ ଏସିଆରେ ଏହାର ସଙ୍କଟ ପ୍ରଚଳିତ ଅଛି । ସାଧାରଣତଃ ୫ % ରୋଗୀ ମୃତ୍ୟୁମୂଖରେ ପତିତ ହୁଅନ୍ତି କିନ୍ତୁ ଚିକିତ୍ସା ସୁବିଧା ନ ଥିବା ସ୍ଥାନମାନଙ୍କରେ ମୃତ୍ୟୁ ହାର ୫ % ହୋଇପାରେ । [3] ଖ୍ରୀ:ପୂ; ୫ମ ଶତାବ୍ଦୀରେ ଏହି ରୋଗ ହେଉଥିବାର ବର୍ଣ୍ଣନା ସଂସ୍କୃତରେ ଅଛି । [4] ଜନ ସ୍ନୋ ସନ ୧୮୪୯ରୁ ୧୮୫୪ ମଧ୍ୟରେ ଏହି ରୋଗକୁ ଅନୁଶୀଳନ କରି ଲିପିବଦ୍ଧ କରିଛନ୍ତି ଯାହା ଯୋଗୁ ରୋଗାନୁଶୀଳନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିଛି । [4][11]