କୋଲୋଜିୟମ୍
ରୋମ, ଇଟାଲୀ / From Wikipedia, the free encyclopedia
କୋଲୋଜିୟମ୍ (ଈଂରାଜୀରେ Colosseum ଏବଂ ଇଟାଲୀୟ ଭାଷାରେ କୋଲୋଜିଓ -Colosseo) ଇଟାଲୀର ରୋମ୍ ନଗରର କେନ୍ଦ୍ରରେସ୍ଥିତ ଏକ ବୃହତ୍ ଅଣ୍ଡାକୃତି ଆମ୍ପିଥିଏଟର ବା ରଙ୍ଗଭୂମି । ଏହା ଫ୍ଲାଭିଆନ୍ ଆମ୍ପିଥିଏଟର ନାମରେ ମଧ୍ୟ ବେଶ୍ ଜଣାଶୁଣା । ଟ୍ରାଭେର୍ଟାଇନ୍ ଚୂନପଥର, ଆଗ୍ନେୟ ଉଦ୍ଗୀରଣରୁ ସୃଷ୍ଟ ଟଫ୍ ପଥର, କାଠ ଓ କଂକ୍ରିଟ୍ ନିର୍ମିତ ଇଟାରେ ଏହି ରଙ୍ଗମଞ୍ଚ ଅଦ୍ୟାବଧି ବିଶ୍ୱରେ ନିର୍ମିତ ସର୍ବବୃହତ୍ ରଙ୍ଗମଞ୍ଚ । [1] ରୋମାନ୍ ଫୋରମ୍ର ଠିକ୍ ପୂର୍ବ ପଟକୁ ଅଳ୍ପଦୂରରେ ଏହି ପ୍ରାଚୀନ ରଙ୍ଗମଞ୍ଚ ଅବସ୍ଥିତ । ଭେସ୍ପାସିଆନ୍ ରୋମ୍ର ସମ୍ରାଟ ଥିବାବେଳେ ଖ୍ରୀ. ୭୨ରେ ଏହାର ନିର୍ମାଣ କାର୍ଯ୍ୟ ପ୍ରାରମ୍ଭ ହୋଇଥିଲା[2] ଓ ଭେସ୍ପାସିଆନ୍ଙ୍କ ଉତ୍ତରାଧିକାରୀ ଟାଇଟସ୍ଙ୍କ ଶାସନ କାଳରେ ଖ୍ରୀ. ୮୦ରେ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା । [3] ଖ୍ରୀ. ୮୧ରୁ ୯୬ ମଧ୍ୟରେ ଡୋମିଟିଆନ୍ଙ୍କ ଶାସନ ସମୟରେ ଏଥିରେ କିଛିଟା ପରିବର୍ତ୍ତନ କରାଯାଇଥିଲା । [4] ଭେସ୍ପାସିଆନ୍, ଟାଇଟସ୍ ଓ ଡୋମିଟିଆନ୍ -ଏହି ସମସ୍ତ ସମ୍ରାଟ ଫ୍ଲାଭିଆନ୍ ରାଜବଂଶର ହୋଇଥିବାରୁ କୋଲୋଜିୟମ୍କୁ “ଫ୍ଲାଭିଆନ୍ ରଙ୍ଗମଞ୍ଚ” ବୋଲି ମଧ୍ୟ କୁହାଯାଏ ।
ଏକାବେଳକେ କୋଲୋଜିୟମ୍ ମଧ୍ୟରେ ପ୍ରାଚୀନ ସମୟରେ ୫୦ ହଜାରରୁ ୮୦ ହଜାର ଦର୍ଶକ ବସି ପାରୁଥିବେ ବୋଲି ଏହାର ଅନ୍ତଃ ସଂରଚନାରୁ ଜଣାପଡ଼େ । [5][6] ତେବେ ଏଥିରେ ହାରାହାରି ୬୫୦୦୦ ଦର୍ଶକ ବସି ଉପଭୋଗ କରିପାରୁଥିବେ । [7][8] ତତ୍କାଳୀନ ସମୟରେ ରୋମାନ ସମ୍ରାଟମାନେ ଯୁଦ୍ଧ ବନ୍ଦୀ ବା କିଛି ପ୍ରତିଭାଶାଳୀ ଯୋଦ୍ଧାଙ୍କୁ ଗ୍ଲାଡିଏଟର୍ (ତରବାରୀଚାଳକ) ରୂପେ ରଖୁଥିଲେ । ଏହି ଗ୍ଲାଡିଏଟର୍ମାନେ ଅନ୍ୟ ଯୋଦ୍ଧା ବା ହିଂସ୍ର ପଶୁମାନଙ୍କ ସହିତ ମରଣାନ୍ତକ ଯୁଦ୍ଧ କରୁଥିଲେ । ଗ୍ଲାଡିଏଟର୍ ବଞ୍ଚିଲେ ଆଗାମୀ ଯୁଦ୍ଧ କରିବ, ନଚେତ୍ ନିଜ ପ୍ରାଣ ହରାଇଲେ ପରବର୍ତ୍ତୀ ଯୋଦ୍ଧାକୁ ଅବସର ଦିଆଯିବ । ବର୍ତ୍ତମାନ ସମୟରେ ବର୍ବର ଅନୁଭୂତ ହେଉଥିଲେ ହେଁ ପ୍ରାଚୀନ କାଳରେ ଏହା ଏକ ରୋମାନ୍ ପ୍ରଥା ଥିଲା । କୋଲୋଜିୟମ୍ର କେନ୍ଦ୍ରସ୍ଥିତ ରଙ୍ଗଭୂମିରେ ଏହି ସବୁ ସଂଘର୍ଷ ସଂଘଟିତ ହେଉଥିଲା ଏବଂ ସମ୍ରାଟ, ରାଜସଭା ପରିଷଦଗଣ ତଥା ସାଧାରଣ ଜନତା କୋଲୋଜିୟମ୍ର ଗ୍ୟାଲେରିରେ ବସି ଏହି ତଥାକଥିତ କ୍ରୀଡ଼ାକୁ ଉପଭୋଗ କରୁଥିଲେ । ଏତତ୍ ବ୍ୟତୀତ ସର୍ବସାଧାରଣଙ୍କ ସମ୍ମୁଖରେ ମୃତ୍ୟୁଦଣ୍ଡ, ପୌରାଣିକ ନାଟକ, ପଶୁଙ୍କ ଶିକାର ଖେଳ, ଯୁଦ୍ଧ କଳା ପ୍ରଦର୍ଶନ, ଜନତାଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ଓ ଘୋଷଣା ପାଇଁ ମଧ୍ୟ କୋଲୋଜିୟମ୍ ବ୍ୟବହୃତ ହେଉଥିଲା । ତେବେ ମଧ୍ୟଯୁଗର ପ୍ରାରମ୍ଭରେ କୋଲୋଜିୟମ୍ ମନୋରଞ୍ଜନ ପାଇଁ ଆଉ ବ୍ୟବହୃତ ହେଲାନାହିଁ । ଏହି ସମୟ ପରଠାରୁ ଧାର୍ମିକ କାର୍ଯ୍ୟକଳାପ ପାଇଁ କୋଲୋଜିୟମ୍କୁ ବ୍ୟବହାର କରାଗଲା ।
କେତେକ ଭୂମିକମ୍ପ ଯୋଗୁଁ ହେଉ ବା ପଥରଚୋରଙ୍କଦ୍ୱାରା ଏହାର ପଥର ଚୋରି ହେବା ଯୋଗୁଁ ବର୍ତ୍ତମାନ କୋଲୋଜିୟମ୍ର ଭଗ୍ନାବଶେଷ ରହିଯାଇଛି । କିନ୍ତୁ ସେହି ଭଗ୍ନାବଶେଷ ପ୍ରାଚୀନ ରୋମ୍ର ଏକ ପ୍ରତୀକ ଭାବେ ପରିଗଣିତ ହୁଏ । ରୋମ୍କୁ ପ୍ରତିବର୍ଷ ଆସୁଥିବା ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ତାଲିକାରେ ଏହା ଶୀର୍ଷସ୍ଥାନ ଗ୍ରହଣ କରିଛି । ରୋମାନ୍ କ୍ୟାଥୋଲିକ୍ ଧର୍ମାବଲମ୍ବୀମାନଙ୍କ ସହିତ ଏହା ସମ୍ପୃକ୍ତ । ପ୍ରତି ବର୍ଷ ଗୁଡ୍ ଫ୍ରାଇଡେ ଦିନ ପୋପ୍ ମଶାଲ ଧରି “ୱେ ଅଫ୍ ଦ କ୍ରସ୍” ନାମକ ଏକ ପଦଯାତ୍ରାର ନେତୃତ୍ୱ ନିଅନ୍ତି ଯାହା କୋଲୋଜିୟମ୍ ନିକଟରୁ ଆରମ୍ଭ ହୋଇଥାଏ । [9]
ଇଟାଲୀରେ ପ୍ରଚଳିତ କେତେକ ୫ ସେଣ୍ଟ୍ “ୟୁରୋ” (ଈଂରାଜୀରେ Euro) ମୁଦ୍ରାରେ କୋଲୋଜିୟମ୍ର ଚିତ୍ର ରହିଛି ।
କୋଲୋଜିୟମ୍ର ପ୍ରକୃତ ଲାଟିନ୍ ନାମ ହେଲା Amphitheatrum Flavium - ଆମ୍ପିଥେଆଟ୍ରୁମ୍ ଫ୍ଲାଭିଉମ୍ ଯାହାକୁ ଈଂରାଜୀ ଭାଷାରେ Flavian Amphitheatre - ଫ୍ଲାଭିଆନ୍ ଆମ୍ପିଥିଏଟର୍ ବୋଲି କୁହାଯାଏ । ସମ୍ରାଟ ନିରୋଙ୍କ ପରେ ଆରମ୍ଭ ହୋଇଥିବା ଫ୍ଲାଭିଆନ୍ ରାଜବଂଶର ସମ୍ରାଟମାନେ ଏହାର ନିର୍ମାଣ କରାଇଥିଲେ । [10] ଆଧୁନିକ ଈଂରାଜୀ ଭାଷାରେ ଏହି ନାମ ଅଦ୍ୟାବଧି ବ୍ୟବହୃତ ହେଉଛି କିନ୍ତୁ ଅଧିକାଂଶ ଲୋକେ ଏହାକୁ କୋଲୋଜିୟମ୍ ବୋଲି କହିଥାନ୍ତି । ପ୍ରାଚୀନ ସମୟର କବିମାନଙ୍କ ଭାଷାରେ ଏହାର ନାମ Amphitheatrum Caesareum - ଆମ୍ପିଥେଆଟ୍ରୁମ୍ ସେଜାରିଅମ୍ ଥିଲା ବୋଲି ମଧ୍ୟ ଜଣାପଡ଼ିଛି । [11][12] ଫ୍ଲାଭିଆନ୍ ସମ୍ରାଟ ଭେସ୍ପାସିଆନ୍ ଓ ଟାଇଟସ୍ ଇଟାଲୀର ପୋଜୁଓଲି ସହରରେ ମଧ୍ୟ ଆଉ ଏକ ଆମ୍ପିଥିଏଟର୍ ନିର୍ମାଣ କରାଇଥିଲେ । ଏହାକୁ ମଧ୍ୟ ପୋଜୁଓଲିର ଫ୍ଲାଭିଆନ୍ ଆମ୍ପିଥିଏଟର୍ ବା କୋଲୋଜିୟମ୍ କୁହାଯାଏ । [13]
ଏହି ରଙ୍ଗଭୂମି ନିକଟରେ ନିରୋଙ୍କ ଏକ ବିଶାଳକାୟ ମୂର୍ତ୍ତି (Colossus of Nero) ରହିଥିବାରୁ କାଳକ୍ରମେ ଏହାକୁ କୋଲୋଜିୟମ୍ କୁହାଗଲା ବୋଲି ଲୋକଙ୍କର ବିଶ୍ୱାସ ରହିଛି । [4] ନିରୋଙ୍କ ପରବର୍ତ୍ତୀ ଶାସକମାନେ କିଛି ବର୍ଷ ପାଇଁ ଏହି ମୂର୍ତ୍ତିକୁ ସୂର୍ଯ୍ୟ ଦେବ ଆପୋଲୋ ବା ହିଲିଓସ୍ଙ୍କ ମୂର୍ତ୍ତିରେ ପରିବର୍ତ୍ତିତ କରାଇଥିଲେ । ପରବର୍ତ୍ତୀ ଯୁଗରେ ଶାସକଙ୍କ ସହିତ ମୂର୍ତ୍ତିର ମୁଣ୍ଡ ମଧ୍ୟ ବଦଳି ଚାଲିଥିଲା । ମଧ୍ୟଯୁଗ ପର୍ଯ୍ୟନ୍ତ ଏହି ମୂର୍ତ୍ତି ରୋମାନ୍ ସାମ୍ରାଜ୍ୟର ସ୍ଥାୟିତ୍ୱର ପ୍ରତୀକ ଭାବେ ଦଣ୍ଡାୟମାନ ରହିଥିଲା ।
ଅଷ୍ଟମ ଶତାବ୍ଦୀର ସନ୍ଥ ଭେନେରେବଲ୍ ବିଡ୍ଙ୍କ ସମୟର ଏକ ଲେଖରୁ ଏହି ବିଶାଳକାୟ ମୂର୍ତ୍ତି ସମ୍ପର୍କରେ ଭବିଷ୍ୟବାଣୀ ରୂପରେ ଲେଖା ହୋଇଥିଲା ଯେ : ଯେତେବେଳ ଯାଏଁ ଏହି ବିଶାଳ ମୂର୍ତ୍ତି ଦଣ୍ଡାୟମାନ, ସେବେ ପର୍ଯ୍ୟନ୍ତ ରୋମ୍ ଜୀବିତ ରହିବ । ବିଶାଳ ମୂର୍ତ୍ତି ଧ୍ୱଂସ ହେଲେ ରୋମ୍ର ପତନ ଘଟିବ ଓ ରୋମ୍ର ପତନ ଘଟିଲେ ବିଶ୍ୱ ଧ୍ୱଂସ ହୋଇଯିବ (ମୂଳ ଲାଟିନ୍ ଲେଖା : Quamdiu stat Colisæus, stat et Roma; quando cadet colisæus, cadet et Roma; quando cadet Roma, cadet et mundus) । [14] ଏହି ଲେଖାରେ ବ୍ୟବହୃତ “colisæus” ଶବ୍ଦ କୋଲୋଜିୟମ୍ ଉଦ୍ଦେଶ୍ୟରେ କୁହାଯାଇଛି ବୋଲି ବହୁ ଲେଖକ ଓ କବିଙ୍କର ଭୁଲ ଧାରଣା ରହିଥିଲା । ତେବେ ପରବର୍ତ୍ତୀ ସମୟରେ ବିଶାଳକାୟ ମୂର୍ତ୍ତିର ପତନ ଘଟିଲା । ମୂର୍ତ୍ତିର ନିର୍ମାଣରେ ବ୍ୟବହୃତ ବ୍ରୋଞ୍ଜ୍ ଧାତୁ ଉଦ୍ଧାର କରିବା ପାଇଁ ଏପରି କରାଯାଇଥିବା ସମ୍ଭବପର । ଖ୍ରୀଷ୍ଟାବ୍ଦ ୧୦୦୦ ବେଳକୁ କୋଲୋଜିୟମ୍ ଶବ୍ଦ କେବଳ ଆମ୍ପିଥିଏଟର୍ ବା ରଙ୍ଗଭୂମିକୁ ବୁଝାଉଥିଲା । କ୍ରମଶଃ ବିଶାଳ ମୂର୍ତ୍ତିକୁ ସମସ୍ତେ ଭୁଲିଗଲେ । ଏହି ବିଶାଳ ମୂର୍ତ୍ତିର ନିମ୍ନ ଭିତ୍ତିଟି କୋଲୋଜିୟମ୍ ଓ ଭେନସ୍ ଓ ରୋମାଙ୍କ ମନ୍ଦିର ମଝିରେ ବର୍ତ୍ତମାନ ସୁଦ୍ଧା ପଡ଼ି ରହିଛି । [15]
ମଧ୍ୟଯୁଗରେ ଅନ୍ୟାନ୍ୟ ଭାଷାରେ କୋଲୋଜିୟମ୍ ନାମର ବିଭିନ୍ନ ରୂପ ଜନ୍ମ ନେଲା । କୋଲୋଜିୟମ୍ ଇଟାଲୀୟ ଭାଷାରେ il Colosseo, ରୋମାନୀୟ ଭାଷାରେ Coloseumul, ଫରାସୀ ଭାଷାରେ le Colisée, ସ୍ପେନୀୟ ଭାଷାରେ el Coliseo ଓ ପର୍ତ୍ତୁଗୀଜ ଭାଷାରେ o Coliseu ଭାବେ ଜଣା ।