ତରଙ୍ଗ-କଣିକା ଦ୍ୱୈତବାଦ
From Wikipedia, the free encyclopedia
ତରଙ୍ଗ-କଣିକା ଦ୍ୱୈତବାଦ (ଈଂରାଜୀରେ Wave–particle duality) ପ୍ରମାତ୍ର ବିଜ୍ଞାନର ଏକ ମତବାଦ ଯାହା ଅନୁସାରେ ପ୍ରତ୍ୟେକ କ୍ଷୁଦ୍ର କଣିକାଠାରେ କିଛି ତରଙ୍ଗ ପ୍ରକୃତି ମଧ୍ୟ ରହିଥାଏ । ତେଣୁ ପାରମ୍ପରିକ ପଦାର୍ଥ ବିଜ୍ଞାନରେ ତରଙ୍ଗ ଓ କଣିକା ଭିନ୍ନ ଭିନ୍ନ ବୋଲି ଯେଉଁ ପ୍ରବାଦ ରହିଥିଲା ତାହା ପ୍ରମାତ୍ର ବିଜ୍ଞାନରେ ଏକ ସ୍ୱତନ୍ତ୍ର ମତବାଦ ରୂପେ ପ୍ରକାଶ ପାଇଲା । ଏହି ସମ୍ପର୍କରେ ଆଲବର୍ଟ ଆଇନ୍ଷ୍ଟାଇନ୍ ଲେଖିଥିଲେ :[1]
ମନେହୁଏ ଯେ ଆମକୁ କେତେବେଳେ ଏକ ତ ଆଉ କେତେବେଳେ ଅପର ତତ୍ତ୍ୱର ଉପଯୋଗ କରିବାକୁ ହେବ, କେତେବେଳେ ଦୁଇଟି ଯାକ ତତ୍ତ୍ୱ ଏକା ସାଙ୍ଗରେ ବ୍ୟବହାର କରିବା ସଠିକ ମନେ ହେବ । ଏକ ନୂତନ ସମସ୍ୟା ଆମ ସମ୍ମୁଖରେ ଦଣ୍ଡାୟମାନ । ବାସ୍ତବତାର ଦୁଇଟି ପରସ୍ପର ବିପରୀତ ରୂପ ଆମେ ଦେଖୁଛେ ; କାରଣ ଦୁହିଁଙ୍କ ମଧ୍ୟରୁ କେଉଁଟି ବି ସ୍ୱାଧୀନ ଭାବେ ଆଲୋକର ସମ୍ପୂର୍ଣ୍ଣ ପ୍ରକୃତିକୁ ବୁଝାଇପାରିବେ ନାହିଁ, କିନ୍ତୁ ଦୁଇଟି ଯାକ ତତ୍ତ୍ୱର ସମ୍ମିଳନରେ ଏହା ସମ୍ଭବ ।
ମୂଳ ଲେଖା :
It seems as though we must use sometimes the one theory and sometimes the other, while at times we may use either. We are faced with a new kind of difficulty. We have two contradictory pictures of reality; separately neither of them fully explains the phenomena of light, but together they do.
ମ୍ୟାକ୍ସ୍ ପ୍ଲାଂକ୍, ଆଇନ୍ଷ୍ଟାଇନ୍, ଲୁଇ ଡି ବ୍ରୋଗ୍ଲି, ଆର୍ଥର୍ କ୍ରମ୍ପଟନ୍, ନିଲ୍ସ୍ ବୋର୍ ଓ ଅନ୍ୟ ବହୁ ବୈଜ୍ଞାନିକଙ୍କ ଗବେଷଣାରୁ ଜଣା ପଡ଼ିଥିଲା ଯେ ପ୍ରତ୍ୟେକ କଣିକାର କିଛି ତରଙ୍ଗୀୟ ପ୍ରକୃତି ରହିଛି ଓ ତରଙ୍ଗରେ ମଧ୍ୟ କିଛି କଣିକା ପ୍ରକୃତି ନିହିତ ଥାଏ ।[2] ଏହି ତତ୍ତ୍ୱ କେବଳ ମୌଳିକ କଣିକା ଓ ଅବ-ପାରମାଣବିକ କଣିକା ନୁହେଁ ବରଂ ପରମାଣୁ ଓ ଅଣୁ ପରି କଣିକାଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ । ଖାଲି ଆଖିକୁ ଦେଖାଯାଉଥିବା କଣିକାମାନଙ୍କ ତରଙ୍ଗ ଦୈର୍ଘ୍ୟ ଅତି କମ୍ ହୋଇଥିବାରୁ ଏହାକୁ ଚିହ୍ନଟ କରିବା କଷ୍ଟକର ହୋଇଥାଏ ।[3]
ପଦାର୍ଥ ବିଜ୍ଞାନରେ ତରଙ୍ଗ-କଣିକା ଦ୍ୱୈତବାଦକୁ ଗ୍ରହଣ କରାଯାଇଛି ସତ, କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର ଅର୍ଥ ଓ କାରଣର ସନ୍ତୋଷଜନକ ଉତ୍ତର ମିଳିପାରିନାହିଁ ।
ଏପରି ଦ୍ୱୈତବାଦ ପ୍ରକୃତିର ଏକ ମୌଳିକତା ବୋଲି ନିଲ୍ସ୍ ବୋର୍ ମତ ଦେଇଥିଲେ । ବିଭିନ୍ନ ଭୌତିକ ଅବସ୍ଥାନୁସାରେ କେବଳ କିଛି ପ୍ରମାତ୍ର ପଦାର୍ଥ କେତେବେଳେ ତରଙ୍ଗ ତ କେତେବେଳେ କଣିକା ପରି ବ୍ୟବହାର ପ୍ରଦର୍ଶନ କରେ । ଏପରି ଦ୍ୱୈତ ଗୁଣ ପଦାର୍ଥ ବିଜ୍ଞାନରେ ଏକ ପରସ୍ପରର ପରିପୂରକ ସ୍ଥିତି ଦର୍ଶାଏ ବୋଲି ତାଙ୍କୁ ମନେ ହୋଇଥିଲା ।[4] ସ୍ଥାନ-କାଳ ପରିଧୀରେ ଦେଖାଯାଉଥିବା ଏପରି ପରିପୂରକତା ବା କାରଣ-ପ୍ରଭାବ ସମ୍ପର୍କକୁ ପ୍ରତ୍ୟାଖ୍ୟାନ କଲେ ହିଁ ପ୍ରମାତ୍ର ବିଜ୍ଞାନର ସତ୍ୟତା ଜାଣିହେବ ବୋଲି ନିଲ୍ସ୍ ବୋର୍ ଭାବିଥିଲେ ।[5]
ୱେର୍ନର୍ ହାଇଜେନ୍ବର୍ଗ୍ ଏହି ବିଷୟରେ ଅଧିକ ଗବେଷଣା କରିଥିଲେ । କେବଳ କିଛି ପ୍ରମାତ୍ର କଣିକା ନୁହେଁ ବରଂ ସମସ୍ତ ପ୍ରମାତ୍ର ପଦାର୍ଥ ଏହି ଦ୍ୱୈତତା ଦେଖାଯାଇପାରିବ । ବୋର୍ଙ୍କ ମତରୁ ଏହା ଟିକେ ଭିନ୍ନ ଥିଲା ଓ ହାଇଜେନ୍ବର୍ଗ୍ ଏହାକୁ ଦ୍ୱିତୀୟ ପ୍ରମାତ୍ରିକରଣ (ଈଂରାଜୀରେ Second Quantization) ବୋଲି କହିଲେ । ଦ୍ୱିତୀୟ ପ୍ରମାତ୍ରିକରଣ ସାଧାରଣ ସ୍ଥାନ-କାଳରେ କ୍ଷେତ୍ର ତତ୍ତ୍ୱର ଏକ ଭିନ୍ନ ଦୃଷ୍ଟିକୋଣ ଦର୍ଶାଏ । ପାରମ୍ପରିକ କ୍ଷେତ୍ର ସଂଖ୍ୟାଗୁଡ଼ିକୁ (ଯଥା, ଜେମ୍ସ୍ କ୍ଲର୍କ୍ ମ୍ୟାକ୍ସୱେଲ୍ଙ୍କ ବୈଦ୍ୟୁତିକ ଓ ଚୁମ୍ବକୀୟ କ୍ଷେତ୍ରଶକ୍ତି) ବଦଳାଇ ପ୍ରମାତ୍ର କ୍ଷେତ୍ର ତତ୍ତ୍ୱରେ ନୂତନ ସଂଖ୍ୟାମାନ ବ୍ୟବହାର କରାଯାଏ । ସାଧାରଣ ପ୍ରମାତ୍ର ଯାନ୍ତ୍ରିକ ବିଜ୍ଞାନକୁ ପ୍ରମାତ୍ର କ୍ଷେତ୍ର ତତ୍ତ୍ୱର ଏକ ସ୍ୱତନ୍ତ୍ର ଅବସ୍ଥା ବୋଲି କୁହାଯାଇପାରିବ ।[6][7]