ୱହୀଦା ରହମାନ
ଭାରତୀୟ ଅଭିନେତ୍ରୀ / From Wikipedia, the free encyclopedia
ଲେଖା ଚାଲିଛି...
ୱହୀଦା ରହମାନ | |
---|---|
ଜନ୍ମ | (1936-02-03) ୩ ଫେବୃଆରୀ ୧୯୩୬ (ବୟସ ୮୮) ଚେଙ୍ଗଲପେଟ, ମାଡ୍ରାସ ପ୍ରେସିଡେନ୍ସି, ବ୍ରିଟିଶ ଭାରତ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୫୫–୧୯୯୧ ୨୦୦୨–ଏବେଯାଏଁ |
ବୈବାହିକ-ସାଥୀ | ଶଶି ରେଖି (୧୯୭୪ – ୨୦୦୦; ମୃତ୍ୟୁ) |
ସନ୍ତାନ | ୨ |
Honours | ପଦ୍ମଶ୍ରୀ (୧୯୭୨) ପଦ୍ମ ଭୂଷଣ (୨୦୧୧) ଦାଦାସାହେବ ଫାଲକେ ପୁରସ୍କାର (୨୦୨୩) |
ୱାହିଦା ରହମାନ (ଜନ୍ମ: ୩ ଫେବୃଆରୀ ୧୯୩୬) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ତେଲୁଗୁ, ତାମିଲ, ହିନ୍ଦୀ, ବଙ୍ଗଳା ଓ ମାଲାୟଲମ କଥାଚିତ୍ର ଜଗତରେ କାମ କରନ୍ତି । ହିନ୍ଦୀ କଥାଚିତ୍ର ଜଗତର ଅନ୍ୟତମ ସଫଳ ଅଭିନେତ୍ରୀ ଭାବରେ ସେ ଥରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ତିନୋଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି । ଭାରତ ସରକାର ତାଙ୍କୁ ୧୯୭୨ ମସିହାରେ ପଦ୍ମଶ୍ରୀ ଏବଂ ୨୦୧୧ ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ।[1][2] ୨୦୨୩ ମସିହାରେ ତାଙ୍କୁ ଭାରତୀୟ କଥାଚିତ୍ର ଜଗତର ସର୍ବୋଚ୍ଚ ପୁରସ୍କାର ଦାଦାସାହେବ ଫାଲକେ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି । ସେ ପାଞ୍ଚ ଦଶନ୍ଧି ଧରି ଅଭିନୟ କ୍ଷେତ୍ରରେ ସକ୍ରିୟ ରହି ୯୦ରୁ ଅଧିକ କଥାଚିତ୍ରରେ କାମ କରିଛନ୍ତି ।[3][4]
୧୯୫୫ ମସିହାରେ ସେ ତେଲୁଗୁ କଥାଚିତ୍ର ରୋଜୁଲୁ ମାରାୟି ଜରିଆରେ କଥାଚିତ୍ରରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଠି ସେ ଜଣେ ନର୍ତ୍ତକୀ ଭାବରେ କାମ କରିଥିଲେ ଏବଂ ତେଲୁଗୁ କଥାଚିତ୍ର ଜୟସ୍ମିତା ଜରିଆରେ ଜଣେ ଅଭିନେତ୍ରୀ ଭାବରେ କାମ କରିବା ଆରମ୍ଭ କରିଥିଲେ । ସେ ହିନ୍ଦୀ କଥାଚିତ୍ର ନିର୍ମାତା ଗୁରୁ ଦତ୍ତଙ୍କ ରୋମାଣ୍ଟିକ୍ କଥାଚିତ୍ର ପ୍ୟାସା (୧୯୫୭), କାଗଜ କା ଫୁଲ୍ (୧୯୫୯) ଆଦିରେ ଅଭିନୟ କରିବା ପରେ ଚୌଦହବି କା ଚାନ୍ଦ୍ (୧୯୬୦), ସାହେବ ବିବି ଔର୍ ଗୁଲାମ୍ (୧୯୬୨) ଆଦିରେ ଅଭିନୟ କରିଥିଲେ । ୧୯୬୫ ମସିହାରେ ତାଙ୍କ ଅଭିନୀତ ରୋମାଣ୍ଟିକ୍ ଫିଲ୍ମ ଗାଇଡ୍ ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା । ୧୯୬୮ରେ ନୀଲ୍ କଲମ୍ ପାଇଁ ତାଙ୍କୁ ପୁଣିଥରେ ଫିଲ୍ମଫେୟାର୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ଏବଂ ୧୯୬୭ ଓ ୧୯୭୦ରେ ଫିଲ୍ମଫେୟାର୍ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ୧୯୭୧ ମସିହାରେ ମୁକ୍ତିଲାଭ କରିଥିବା ଅପରାଧିକ ଡ୍ରାମା ରେଶ୍ମା ଔର୍ ଶେରା ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।
୧୯୭୦ ଦଶକର ପ୍ରାରମ୍ଭରୁ ସେ କଥାଚିତ୍ରରେ ଚରିତ୍ର ଅଭିନେତା ଭାବରେ କାମ କରିବା ଆରମ୍ଭ କରିଦେଇଥିଲେ । ୧୯୭୬ର କଭି କଭି, ୧୯୭୮ର ତ୍ରିଶୁଳ, ୧୯୮୨ର ନମକୀନ୍ ଓ ନମକ ହଲାଲ୍, ୧୯୮୪ର ମଶାଲା, ୧୯୮୯ର ଚାନ୍ଦିନୀ, ୧୯୯୧ର ଲହ୍ମେ, ୨୦୦୬ର ରଙ୍ଗ ଦେ ବାସନ୍ତୀ, ୨୦୦୯ର ଦିଲ୍ଲୀ ୬ ଆଦି କଥାଚିତ୍ରରେ ସେ କାମ କରିଛନ୍ତି । ୧୯୯୧ ମସିହାରୁ ଅଭିନୟ ଦୁନିଆରୁ ଦୂରେଇ ଯିବା ପରେ ୧୯୯୪ ମସିହାରେ ତାଙ୍କୁ ଫିଲ୍ମଫେୟାର୍ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଅଭିନୟ ବ୍ୟତୀତ ସେ ଜଣେ ସମାଜସେବୀ ଭାବରେ କାମ କରନ୍ତି । ଭାରତରେ ଦାରିଦ୍ର ଦୂରିକରଣ ପାଇଁ କାମ କରୁଥିବା ବେସକାରୀ ସଂସ୍ଥା ରଙ୍ଗଦେର ସେ ଦୂତ ଭାବରେ କରୁଛନ୍ତି ।