ଖାଦ୍ୟନଳୀ ରକ୍ତସ୍ରାବ
From Wikipedia, the free encyclopedia
ଖାଦ୍ୟନଳୀ ରକ୍ତସ୍ରାବ (ଇଂରାଜୀରେ Gastrointestinal bleed (GI bleed), ବା gastrointestinal hemorrhage), ପାଟିରୁ ଆରମ୍ଭ କରି ମଳାଶୟ ପର୍ଯ୍ୟନ୍ତ ଖାଦ୍ୟନଳୀର ଯେ କୌଣସି ସ୍ଥାନରୁ ରକ୍ତସ୍ରାବ ହେଲେ ଏହି ନାମ ଦିଆଯାଏ । [1] ଅଳ୍ପ ସମୟରେ ଉଲ୍ଲେଖନୀୟ ରକ୍ତସ୍ରାବ ହେଲେ ସ୍ଥାନ ବିଶେଷରେ ଲାଲ ରକ୍ତ ବାନ୍ତି, କଳା ରକ୍ତ ବାନ୍ତି, କଳା ଝାଡ଼ା ନାମ ଦିଆଯାଇ ଥାଏ । ଲମ୍ବା ସମୟ ଧରି ଅଳ୍ପ ରକ୍ତସ୍ରାବ ହେଲେ ଲୌହ ଅଭାବ ଆନିମିଆ ହୋଇ ଥକ୍କାଣ, ହୃତ୍ପିଣ୍ଡ ସମ୍ବନ୍ଧିୟ ଛାତି ଯନ୍ତ୍ରଣା ହୁଏ । [2] ଅନ୍ୟ ଲକ୍ଷଣ ମଧ୍ୟରେ ପେଟରେ କଷ୍ଟ, ଛୋଟ ଶ୍ୱାସକ୍ରିୟା, ଶେତା ଚର୍ମ ଓ ଅଚେତ ଇତ୍ୟାଦି ହୁଏ । [2][1] ବେଳେ ବେଳେ ସ୍ୱଳ୍ପ ପରିମାଣର ରକ୍ତସ୍ରାବ ହେଲେ ମଧ୍ୟ ଲକ୍ଷଣହୀନ ରହେ । [2]
ICD-10 | K92.2 |
---|---|
ICD-9 | 578.9 |
DiseasesDB | 19317 |
MedlinePlus | 003133 |
eMedicine | radio/301 radio/302 emerg/381 |
MeSH | D006471 |
ରକ୍ତସ୍ରାବ ମୂଖ୍ୟତଃ ଦୁଇ ପ୍ରକାର ହୁଏ ଯଥା ଉର୍ଦ୍ଧ୍ୱ ଖାଦ୍ୟନଳୀ ରକ୍ତସ୍ରାବ ଓ ନିମ୍ନ ଖାଦ୍ୟନଳୀ ରକ୍ତସ୍ରାବ । [3] ଅମ୍ଳ ରୋଗ ବା ପେପଟିକ ଅଲସର ରୋଗ, ସିରୋସିସ ଓ କର୍କଟ ଯୋଗୁ ଏସୋଫେଜିଆଲ ଭାରିସେସ ହେବା କାରଣରୁ ସାଧାରଣତଃ ଉର୍ଦ୍ଧ୍ୱ ଖାଦ୍ୟନଳୀ ରକ୍ତସ୍ରାବ ହୁଏ । [4] ଅର୍ଶ, କର୍କଟ ଓ ଇନଫ୍ଲାମେଟରି ବାୱେଲ ରୋଗ ହେଲେ ନିମ୍ନ ଖାଦ୍ୟନଳୀ ରକ୍ତସ୍ରାବ ହୋଇପାରେ । [3] ରୋଗ ଇତିହାସ, ରୋଗୀର ଶାରୀରିକ ପରୀକ୍ଷା ଓ ରକ୍ତ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ମଳ ଓକଲ୍ଟ ରକ୍ତ ପରୀକ୍ଷା କରି ଅଳ୍ପ ପରିମାଣର ରକ୍ରସ୍ରାବ ଚିହ୍ନଟ କରାଯାଏ । ଏଣ୍ଡୋସ୍କୋପି ପରୀକ୍ଷା କରି ଉଭୟ ଉର୍ଦ୍ଦ୍ୱ ଓ ନିମ୍ନ ଖାଦ୍ୟନଳୀରେ ରକ୍ତସ୍ରାବ ହେଉଥିବା ସ୍ଥାନ ଚିହ୍ନଟ କରାଯାଏ । ତଥାପି ଚିହ୍ନଟ ହୋଇ ନ ପାରିଲେ ମେଡିକାଲ ଇମେଜିଙ୍ଗ ଆବଶ୍ୟକ ହୁଏ । [2]
ପ୍ରାରମ୍ଭରେ ରୋଗୀକୁ ପୁନରୁଜ୍ଜୀବିତ (resuscitation) କରିବା ନିମନ୍ତେ ଶୀରା ମାଧ୍ୟମ ତରଳପଦାର୍ଥ ଓ ରକ୍ତ ଟ୍ରାନ୍ସଫ୍ୟୁଜନ ଆବଶ୍ୟକ ହୁଏ । [5] ଅଧିକାଂଶ ସମୟରେ ରକ୍ତ ଟ୍ରାନ୍ସଫ୍ୟୁଜନ ଦେବାକୁ ସୁପାରିସ କରାଯାଏ ନାହିଁ ଯଦି ରକ୍ତ ହେମୋଗ୍ଲୋବିନ ୭୦ରୁ ୮୦ ଗ୍ରା/ଲି.ରୁ ବେଶୀ ଅଛି । [6][7] କେତେକ କ୍ଷେତ୍ରରେ ପ୍ରୋଟୋନ ପମ୍ପ ଇନହିବିଟର, ଓକ୍ଟରିଓଟାଇଡ ଓ ଆଣ୍ଟିବାୟୋଟିକ ଆବଶ୍ୟକ ପଡ଼ିପାରେ । [8][9][10] ଏସୋଫେଜିଆଲ ଭାରିସେସ ଥିଲେ ଓ ଏହି ଉପଚାର କାର୍ଯ୍ୟକାରୀ ନ ହେଲେ ଏସୋଫେଜିଅଲ ବେଲୁନ ଦିଆଯାଇ ପାରେ । [3] ୨୪ ଘଣ୍ଟା ମଧ୍ୟରେ ଉର୍ଦ୍ଧ୍ୱ ଏଣ୍ଡୋସ୍କୋପି କିମ୍ବା କୋଲୋନୋସ୍କୋପି କରି ରୋଗ ନିର୍ଣ୍ଣୟ ତଥା ଚିକିତ୍ସା କରିବାକୁ ସୁପାରିସ କରାଯାଏ । [5]
ନିମ୍ନ ଖାଦ୍ୟନଳୀ ରକ୍ତସ୍ରାବ ଅପେକ୍ଷା ଉର୍ଦ୍ଧ୍ୱ ଖାଦ୍ୟନଳୀ ରକ୍ତସ୍ରାବ ଅଧିକ ସାଧାରଣ ଭାବେ ହୁଏ । [3] ପ୍ରତି ୧୦୦,୦୦୦ ବୟସ୍କ ଲୋକରେ ୫୦ ରୁ୧୫୦ ଲୋକଙ୍କର ଉର୍ଦ୍ଧ୍ୱ ଖାଦ୍ୟନଳୀ ରକ୍ତସ୍ରାବ ହୁଏ । [11] ପ୍ରତି ୧୦୦,୦୦୦ ଲୋକରେ ନିମ୍ନ ଖାଦ୍ୟନଳୀ ରକ୍ତସ୍ରାବ ସଂଖ୍ୟା ୨୦ରୁ ୩୦ ହୁଏ । [3] ଆମେରିକାରେ ଏହା ଯୋଗୁ ପ୍ରତିବର୍ଷ ୩୦୦,୦୦୦ ଡାକ୍ତରଖାନା ଆଡମିସନ ହୁଏ । [2] ଏହି ରୋଗ ଯୋଗୁ ମୃତ୍ୟୁ ହାର ୫ %ରୁ ୩୦ % ହୁଏ । [6][2] ପୁରୁଷମାନଙ୍କର ଅଧିକ ଖାଦ୍ୟନଳୀ ରକ୍ତସ୍ରାବ ହୁଏ ଓ ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ଏହି ସଙ୍କଟ ବଢ଼େ । [3]