ବାଏର୍ଣ୍ଣ ମ୍ୟୁନିକ୍ ଫୁଟବଲ କ୍ଲବ
From Wikipedia, the free encyclopedia
ବାଏର୍ଣ୍ଣ ମ୍ୟୁନିକ୍ ଫୁଟବଲ କ୍ଲବ୍ (ମୂଳ ଜର୍ମାନ ନାମ Fußball-Club Bayern München e.V., କଥିତ ଜର୍ମାନ ଭାଷାରେ FC Bayern München) ଜର୍ମାନୀର ବଭାରିଆ ଅଞ୍ଚଳସ୍ଥିତ ମ୍ୟୁନିକ୍ ସହରର ଏକ ପ୍ରଖ୍ୟାତ ବ୍ୟବସାୟିକ ଫୁଟବଲ କ୍ଲବ । ଏଫ୍ସିବି, ବାଏର୍ଣ୍ଣ ମ୍ୟୁନିକ୍ ବା ଏଫ୍ସି ବାଏର୍ଣ୍ଣ ନାମରେ ଜଣାଶୁଣା ଏହି କ୍ଲବ୍ ଜର୍ମାନୀର ଜାତୀୟ ବୁଣ୍ଡେସ୍ ଲିଗା ପ୍ରତିଯୋଗିତାରେ ଖେଳିଥାଏ । ଜର୍ମାନ ଫୁଟବଲ ଇତିହାସରେ ବାଏର୍ଣ୍ଣ ମ୍ୟୁନିକ୍ ସଫଳତମ ଫୁଟବଲ କ୍ଲବ୍ । ଏହି କ୍ଲବ୍ ସର୍ବାଧିକ ୩୦ ଥର ଜର୍ମାନ ଜାତୀୟ ଫୁଟବଲ ଚାମ୍ପିୟନ୍ ହେବାର ଗୌରବ ଲାଭ କରିଛି । ତା’ ସହ ୨୦୧୩ରୁ ୨୦୨୦ ପର୍ଯ୍ୟନ୍ତ ୮ ବର୍ଷ କ୍ରମାଗତ ଭାବେ ଏହା ବୁଣ୍ଡେସଲିଗା ଜାତୀୟ ପ୍ରତିଯୋଗିତା ଜିତି ଆସୁଛି ।[4] ଏହି କ୍ଲବ୍ ୨୦ ଥର ଡଏସର୍ ଫୁସ୍ବଲ୍ ବୁଣ୍ଡ୍ ଜାତୀୟ କପରେ ମଧ୍ୟ ବିଜୟ ଲାଭ କରିଛି ।[5]
ପୂର୍ଣ୍ଣ ନାମ | ଫୁସ୍ବଲ୍-କ୍ଲୁବ୍ ବାଏର୍ଣ୍ଣ ମୁନ୍ସେନ୍ ଇ ଭି | |||
---|---|---|---|---|
ଡାକ ନାମ | ଡେର୍ ଏଫ୍ସିବି (ଏଫ୍ସିବି) ଡି ବାଏର୍ଣ୍ଣ୍ (ବଭାରୀୟ) ଷ୍ଟେର୍ଣ୍ଣ ଡେସ୍ ସୂଡେନ୍ସ (ଦକ୍ଷିଣର ତାରକାସମୂହ) ଡି ରୋଟେନ୍ (ଲୋହିତଗଣ)[1] ଏଫ୍ସି ହଲିଉଡ୍[2] | |||
କ୍ଷୁଦ୍ର ନାମ | ବାଏର୍ଣ୍ଣ, ଏଫ୍ସିବି | |||
ପ୍ରତିଷ୍ଠା | 27 ଫେବୃଆରୀ 1900 (1900-02-27) (୧୨୪ ବର୍ଷ ପୂର୍ବରୁ) | |||
ଷ୍ଟାଡ଼ିୟମ୍ | ଆଲିଆଞ୍ଜ୍ ଏରିନା | |||
ଦର୍ଶକ କ୍ଷମତା | ୭୫୦୦୦[3] | |||
ଅଧ୍ୟକ୍ଷ | ହର୍ବର୍ଟ୍ ହାଇନର୍ | |||
Chairman | କାର୍ଲ୍-ହାଇଞ୍ଜ୍ ରୁମେନିଗେ | |||
Manager | ହାନ୍ସ-ଡିଟର୍ ଫ୍ଲିକ୍ | |||
ଲିଗ୍ | ବୁଣ୍ଡେସଲିଗା | |||
ୱେବସାଇଟ୍ | Club website | |||
| ||||
Current season |
ଫ୍ରାଂଜ୍ ଜନ୍ଙ୍କ ନେତୃତ୍ୱରେ ୧୧ ଜଣ ଫୁଟବଲ ଖେଳାଳି ୧୯୦୦ ମସିହାରେ ବାଏର୍ଣ୍ଣ ମ୍ୟୁନିକ୍ ଦଳର ପ୍ରତିଷ୍ଠା କରିଥିଲେ ।[6] ଯଦିଓ ବାଏର୍ଣ୍ଣ ନିଜର ପ୍ରଥମ ଜାତୀୟ ଚାମ୍ପିୟନ୍ସିପ୍ ୧୯୩୨ ମସିହାରୁ ଜିତି ସାରିଥିଲା[7] ତଥାପି ଉଦଘାଟନୀ ବର୍ଷ ୧୯୬୩ ମସିହାରେ ଏହାକୁ ବୁଣ୍ଡେସଲିଗାରେ ସ୍ଥାନ ମିଳିନଥିଲା ।[8] ୧୯୭୦ ଦଶନ୍ଧିର ମଧ୍ୟ ଭାଗରେ ଫ୍ରାଂଜ୍ ବେକେନ୍ବାଉଅର୍ଙ୍କ ନେତୃତ୍ୱରେ ବାଏର୍ଣ୍ଣ ଦଳ ୩ ଥର କ୍ରମାଗତ ୟୁଇଫା ଚାମ୍ପିୟନ୍ସ ଲିଗ୍ ପ୍ରତିଯୋଗିତା ଜିତି ଅଭୂତପୂର୍ବ ସଫଳତା ଲାଭ କରିଥିଲା । ଏଯାବତ (୨୦୨୦ ମସିହା ପର୍ଯ୍ୟନ୍ତ) ବାଏର୍ଣ୍ଣ ଦଳ ୧୧ ଥର ୟୁଇଫା ଚାମ୍ପିୟନ୍ସ ଲିଗର ଫାଇନାଲ ଖେଳିବାର ଯୋଗ୍ୟତା ଲାଭ କରିପାରିଛି ଓ ୨୦୨୦ରେ ୬ଷ୍ଠ ଥର ପାଇଁ ୟୁଇଫା ଚାମ୍ପିୟନ୍ସ ଲିଗ୍ ବିଜେତା ମଧ୍ୟ ହୋଇଛି । ଦୁଇ ଥର ମହାଦେଶୀୟ ତ୍ରି-ବିଜୟୀ (continental treble) ହେବାରେ ବାଏର୍ଣ୍ଣ ମ୍ୟୁନିକ୍ ଦ୍ୱିତୀୟ ୟୁରୋପୀୟ କ୍ଲବ୍ ଦଳ ।[9] ଏହା ଛଡ଼ା ବାଏର୍ଣ୍ଣ ଦଳ ଥରେ ୟୁଇଫା ୟୁରୋପା ଲିଗ୍, ଥରେ ୟୁଇଫା କପ ୱିନର୍ସ କପ, ଦୁଇ ଥର ୟୁଇଫା ସୁପର କପ, ଥରେ ଫିଫା କ୍ଲବ୍ ବିଶ୍ୱକପ ଓ ଦୁଇଟି ଆନ୍ତଃ-ମହାଦେଶୀୟ କପ ମଧ୍ୟ ଜିତିଛି । ବୁଣ୍ଡେସଲିଗା ଆରମ୍ଭ ହେବା ପରଠାରୁ ୩୦ ଥର ବିଜେତା ହୋଇଥିବାରୁ ବାଏର୍ଣ୍ଣ ମ୍ୟୁନିକ୍କୁ ଏହାର ସଫଳତମ ଦଳ ବୋଲି କୁହାଯାଇପାରିବ । ବଭାରିଆ ଅଞ୍ଚଳର ଅନ୍ୟ ଫୁଟବଲ ଦଳ ଯଥା – ୧୮୬୦ ମ୍ୟୁନିକ୍ ଓ ଏଫ୍ସି ନୁର୍ଣ୍ଣବର୍ଗ୍ ଏହି ଦଳର ପାରମ୍ପରିକ ପ୍ରତିଦ୍ୱନ୍ଦୀ । ୧୯୯୦ ଦଶନ୍ଧିର ମଧ୍ୟ ଭାଗରୁ ଜର୍ମାନୀର ଅନ୍ୟ ଏକ ଫୁଟବଲ କ୍ଲବ୍ ବୋରୁସିଆ ଡୋର୍ଟମୁଣ୍ଡ ସହିତ ବାଏର୍ଣ୍ଣର ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଥିଲା ।
୨୦୦୫-୦୬ କ୍ରୀଡ଼ାବର୍ଷର ଆରମ୍ଭରୁ ବାଏର୍ଣ୍ଣ ନିଜର ଘର ମ୍ୟାଚ ସବୁ ଆଲିଆଞ୍ଜ୍ ଏରିନା ପଡ଼ିଆରେ ଖେଳି ଆସିଛି । ତାହା ପୂର୍ବରୁ ୩୩ ବର୍ଷ ପାଇଁ ବାଏର୍ଣ୍ଣ ନିଜର ଘର ମ୍ୟାଚ୍ ପାଇଁ ମ୍ୟୁନିକ୍ ଅଲିମ୍ପିକ୍ ଷ୍ଟାଡିୟମ୍କୁ (ଓଲିମ୍ପାଷ୍ଟାଡିୟୋନ୍) ବ୍ୟବହାର କରୁଥିଲା । ଏହି କ୍ଲବ୍ ଦଳର ରଙ୍ଗ ହେଲା ଲାଲ୍ ଓ ଧଳା । ଏହି ଦଳର ଚିହ୍ନରେ ବଭାରିଆର ପତାକାର ଧଳା ଓ ନୀଳ ରଙ୍ଗ ବ୍ୟବହୃତ ହୁଏ ।[10] ବାର୍ଷିକ ଆୟ ଦୃଷ୍ଟିକୋଣରୁ ବାଏର୍ଣ୍ଣ ଜର୍ମାନୀର ବୃହତ୍ତମ ଓ ବିଶ୍ୱର ଚତୁର୍ଥ ବୃହତ୍ତମ ଫୁଟବଲ କ୍ଲବ୍ । ୨୦୨୦ ମସିହାରେ ଏହା ୬୬.୦୧ କୋଟି ୟୁରୋ ଆୟ କରିଥିଲା ।[11] ୨୦୧୮-୧୯ କ୍ରୀଡ଼ାବର୍ଷରେ ବାଏର୍ଣ୍ଣର ଆୟ ୭୫.୦୪ କୋଟି ୟୁରୋ ଏବଂ ଏହାର ଲାଭ ୧୪.୬୧ କୋଟି ୟୁରୋ ରହିଥିଲା । ଏହାକୁ ମିଶାଇ ବାଏର୍ଣ୍ଣ କ୍ଲବ୍ ନିଜ ଖାତାରେ ୨୭ ବର୍ଷ ଲଗାତାର ଲାଭ ଦେଖାଇଆସିଛି ।[12] ୨୦୧୯ ମସିହା ନଭେମ୍ବର ମାସ ବେଳକୁ ବାଏର୍ଣ୍ଣ କ୍ଲବ୍ର ୨୯୩୦୦୦ ସ୍ୱୀକୃତ ସଦସ୍ୟ ଓ ୩୫୮୧୫୧ରୁ ଅଧିକ ସଦସ୍ୟ ଥିବା ୪୪୯୯ ଅନୁମୋଦିତ ଫ୍ୟାନ୍ କ୍ଲବ୍ (ସମର୍ଥକ ଗୋଷ୍ଠୀ) ରହିଥିଲେ ।[12] ଏହି କ୍ଲବ୍ର ଆଉ କିଛି ଖେଳରେ ମଧ୍ୟ ଶାଖାମାନ ରହିଛି; ଯଥା – ଚେସ, ହ୍ୟାଣ୍ଡବଲ, ବାସ୍କେଟ୍ବଲ, ଜିମ୍ନାଷ୍ଟିକ୍ସ, ବୋଲିଂ, ଟେବୁଲ୍ ଟେନିସ୍; ଯେଉଁଥିରେ ୧୧୦୦ରୁ ଅଧିକ ସକ୍ରିୟ ସଦସ୍ୟ ରହିଛନ୍ତି ।[13] ୨୦୧୯-୨୦ କ୍ରୀଡ଼ାବର୍ଷର ଶେଷ ବେଳକୁ ବାଏର୍ଣ୍ଣ ୟୁଇଫାର କୋଏଫିସିଏଣ୍ଟ ରାଂକିଂରେ ପ୍ରଥମ ସ୍ଥାନ ଅର୍ଜନ କରିଥିଲା ।[14]