ଅନିୟମିତ ହୃତ୍ ସ୍ପନ୍ଦନ
ହୃତ୍ ସ୍ପନ୍ଦନ ଯାହା ଅତି ଦୃତ ବା ଅତି ଧୀର ହୋଇପାରେ / From Wikipedia, the free encyclopedia
ଅନିୟମିତ ହୃତ୍ ସ୍ପନ୍ଦନ (ଇଂରାଜୀରେ Cardiac arrhythmia, ବା cardiac dysrhythmia ବା irregular heartbeat) ଏକ ରୋଗ ଦଳ ଯେଉଁଥିରେ ଅନିୟମିତ ହୃତ୍ ସ୍ପନ୍ଦନ ହୁଏ ଯାହା ଅତି ଦୃତ ବା ଅତି ଧୀର ହୋଇପାରେ । ହୃତ୍ ସ୍ପନ୍ଦନ ମିନିଟ ପିଛା ୧୦୦ରୁ ଅଧିକ ହେଲେ ସେହି ଅବସ୍ଥାକୁ ଟାକିକାର୍ଡ଼ିଆ କୁହାଯାଏ ଓ ମିନିଟ ପିଛା ୬୦ରୁ କମ ହେଲେ ସେହି ଅବସ୍ଥାକୁ ବ୍ରାଡିକାର୍ଡ଼ିଆ କୁହାଯାଏ ।[1] ଅନେକ ଲୋକଙ୍କର ଅନିୟମିତ ହୃତ୍ ସ୍ପନ୍ଦନ ହେଉଥିଲେ ମଧ୍ୟ କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ । ଏହାର ଲକ୍ଷଣ ମଧ୍ୟରେ ଖରସ୍ପନ୍ଦନ (palpitations), କିମ୍ବା ସ୍ପନ୍ଦନ ମଝିରେ ଅନ୍ତର ରହେ । ଅବସ୍ଥା ଗମ୍ଭୀର ହେଲେ ମଥାଶୂନ୍ୟତା (lightheadedness), ମୂର୍ଚ୍ଛା, ଛୋଟ ଶ୍ୱାସକ୍ରିୟା ଓ ଛାତିଯନ୍ତ୍ରଣା ହୁଏ ।[2] ଅଧିକାଂଶ ଅନିୟମିତ ସ୍ପନ୍ଦନ ଗମ୍ଭୀର ନ ହେଲେ ମଧ୍ୟ କେତେକ ସ୍ଟ୍ରୋକ ବା ହୃତ୍ପାତକୁ ଗତି କରନ୍ତି ।[1][3] ଅନ୍ୟ କେତେକ ହୃଦ୍ରୋଧରେ ପରିଣତ ହୁଅନ୍ତି ।[3]
ଅନିୟମିତ ହୃତ୍ ସ୍ପନ୍ଦନ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Cardiology |
ଆଇସିଡ଼ି-୧୦ | I47. - I49. |
ଆଇସିଡ଼ି-୯-ସିଏମ୍ | 427 |
ରୋଗ ଡାଟାବେସ | 15206 |
ମେଡ଼ିସିନ-ପ୍ଲସ | 001101 |
MeSH | D001145 |
ଅନିୟମିତ ହୃତ୍ ସ୍ପନ୍ଦନ ମୂଖ୍ୟତଃ ୪ପ୍ରକାର ଅଛି: ଅପକ୍ୱ ସ୍ପନ୍ଦନ, ଉର୍ଦ୍ଧ୍ୱନିଳୟ ଟାକିକାର୍ଡ଼ିଆ, ନିଳୟ ଅନିୟମିତ ସ୍ପନ୍ଦନ ଓ ବ୍ରାଡିଆରିଦମିଆ । ଅପକ୍ୱ ସ୍ପନ୍ଦନ ମଧ୍ୟରେ ଅପକ୍ୱ ଅଳିନ୍ଦ ସଙ୍କୋଚନ ଓ ଅପକ୍ୱ ନିଳୟ ସଙ୍କୋଚନ । ଉର୍ଦ୍ଧ୍ୱନିଳୟ ଟାକିକାର୍ଡ଼ିଆ ମଧ୍ୟରେ ଆଟ୍ରିଆଲ ଫିବ୍ରିଲେସନ ଓ ପାରୋକ୍ସିସମାଲ ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ଅନ୍ତର୍ଗତ । ନିଳୟ ଅନିୟମିତ ସ୍ପନ୍ଦନ ମଧ୍ୟରେ ଭେଣ୍ଟ୍ରିକୁଲାର ଫିବ୍ରିଲେସନ ଓ ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ଅନ୍ତର୍ଭୁକ୍ତ ।[3][4] ହୃତ୍ପିଣ୍ଡର ଇଲେକ୍ଟ୍ରିକାଲ କଣ୍ଡକସନ ସିସ୍ଟମରେ ସମସ୍ୟା ଥିଲେ ଏହି ଅନିୟମିତତା ଦେଖାଯାଏ ।[1] ପିଲାମାନଙ୍କର ମଧ୍ୟ ଅନିୟମିତ ସ୍ପନ୍ଦନ ହୋଇପାରେ, କିନ୍ତୁ ବୟସ ଅନୁସାରେ ସ୍ପନ୍ଦନ ହାର ଭିନ୍ନ ଭିନ୍ନ ହୋଇଥାଏ ।[3] ଇସିଜି ଓ ହୋଲଟର ମନିଟର ଭଳି ଅନେକ ପରୀକ୍ଷା କରି ନିର୍ଦ୍ଦିଷ୍ଟ ଅସୁବିଧା ନିର୍ଣ୍ଣୟ କରାଯାଏ ।[5]
ଅନିୟମିତ ହୃତ୍ ସ୍ପନ୍ଦନ ରୋଗମାନଙ୍କର ଫଳପ୍ରଦ ଚିକିତ୍ସା କରିହୁଏ ।[1] ଉପଚାର ଗୁଡ଼ିକ: ଔଷଧ, ମେଡିକାଲ କାର୍ଯ୍ୟପ୍ରଣାଳୀ ଯେପରିକି ପେସମେକର ଓ ଅପରେଶନ । ଦୃତ ସ୍ପନ୍ଦନକୁ ସାଧାରଣ ସ୍ପନ୍ଦନରେ ପରିଣତ କରିବା ନିମନ୍ତେ ବିଟାବ୍ଲକର କିମ୍ବା ପ୍ରୋକେନାମାଇଡ ଭଳି ଆଣ୍ଟିଆରିଦମିକ ଏଜେଣ୍ଟ ଦିଆଯାଏ । ଦୀର୍ଘକାଳ ଧରି ପୂର୍ବୋକ୍ତ ଔଷଧ ସେବନ କଲେ ଉଲ୍ଲେଖନୀୟ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ । ଧୀର ସ୍ପନ୍ଦନ ନିମନ୍ତେ ପେସମେକର ବ୍ୟବହାର କରାଯାଏ । ଜଟିଳ ସଙ୍କଟ ଏଡ଼େଇବା ନିମନ୍ତେ ଅନିୟମିତ ସ୍ପନ୍ଦନରେ ରକ୍ତପତଳାକାରୀ ଔଷଧ ଦିଆଯାଏ । ଅତ୍ୟଧିକ ଗମ୍ଭୀର ଅନିୟମିତ ସ୍ପନ୍ଦନ ହେଉଥିଲେ ଆଶୁଚିକିତ୍ସା କରି କାର୍ଡ଼ିଓଭର୍ସନ କିମ୍ବା ଡିଫିବ୍ରିଲେସନ ଭଳି ବୈଦ୍ୟୁତିକ ଝଟକା (electrical jolt) ଦିଆଯାଏ ।[6]
ଅନିୟମିତ ହୃତ୍ ସ୍ପନ୍ଦନ ରୋଗ ନିୟୁତ ନିୟୁତ ଲୋକଙ୍କୁ ଆକ୍ରମଣ କରେ ।[7] ସନ ୨୦୧୪ରେ ୟୁରୋପ ଓ ଆମେରିକା ଲୋକସଂଖ୍ୟାର ୨%ରୁ ୩ % ଲୋକଙ୍କୁ ଏହି ରୋଗ ହୋଇଥିଲା ।[8] କେବଳ ଅଳିନ୍ଦ ଫିବ୍ରିଲେସନ ଓ ଅଳିନ୍ଦ ଫ୍ଲଟର ରୋଗରେ ସନ ୧୯୯୦ରେ ୨୯,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ୧୧୨,୦୦୦ ମୃତ୍ୟୁ ହୋଇଥିଲା ।[9] ହୃତ୍ପିଣ୍ଡଧମନୀ ରୋଗରେ ପ୍ରାୟ ଅଧା ଲୋକ ହଠାତ ହୃତ୍କ୍ରିୟା ମୃତ୍ୟୁ ମୃତ୍ୟୁ ବରଣ କରନ୍ତି ଓ ଏହା ପୃଥିବୀର ପ୍ରାୟ ୧୫ % ମୃତ୍ୟୁର କାରଣ ଅଟେ ।[10] ଅଳିନ୍ଦ ଅନିୟମିତ ସ୍ପନ୍ଦନ ଯୋଗୁ ୮୦ % ହୃତ୍ପିଣ୍ଡ ଜନିତ ମୃତ୍ୟୁ ହୁଏ ।[10] ଏହି ରୋଗ ଯେ କୌଣସି ବୟସରେ ହୋଇପାରେ କିନ୍ତୁ ସାଧାରଣତଃ ଅଧିକ ବୟସର ଲୋକଙ୍କୁ ହୁଏ ।[7]