ହେପାଟାଇଟିସ ବି
ଏକ ସଂକ୍ରାମକ ରୋଗ ଯାହା ହେପାଟାଇଟିସ ବି ଭୂତାଣୁଦ୍ୱାରା ହୁଏ ଓ ଏହା ଯକୃତକୁ ଆକ୍ରମଣ କରି ପ୍ରଦାହ ସୃଷ୍ଟି କରେ / From Wikipedia, the free encyclopedia
ହେପାଟାଇଟିସ ବି ଏକ ସଂକ୍ରାମକ ରୋଗ ଯାହା ହେପାଟାଇଟିସ ବି ଭୂତାଣୁଦ୍ୱାରା ହୁଏ ଓ ଏହା ଯକୃତକୁ ଆକ୍ରମଣ କରି ପ୍ରଦାହ ସୃଷ୍ଟି କରେ । ଏହା ଉଭୟ ତ୍ୱରିତ ଓ ଦୀର୍ଘସ୍ଥାୟୀ ରୋଗ କରେଇ ପାରେ । ସଂକ୍ରମଣ ପ୍ରାରମ୍ଭରେ ଏନେକ ଲୋକଙ୍କଠାରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । କେତେକ ରୋଗୀ ଶୀଘ୍ର ରୋଗା ଅନୁଭବ କରି ବାନ୍ତି କରନ୍ତି, ଚମ ହଳଦିଆ ଦେଖାଯାଏ, ଥକ୍କା ଲାଗେ, ଗାଢ଼ ପରିସ୍ରା ହୁଏ ଓ ପେଟ ଯନ୍ତ୍ରଣା ହୁଏ । [1] ଅଧିକାଂଶ ସମୟରେ ରୋଗ କିଛି ସପ୍ତାହ ପର୍ୟ୍ୟନ୍ତ ରହେ, କ୍ୱଚିତ୍ ଏହି ସମୟରେ ମୃତ୍ୟୁ ହୁଏ । [1][2] ସଂକ୍ରମଣର ୩୦ରୁ ୧୮୦ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ । [1] ଜନ୍ମ ସମୟରେ ସଂକ୍ରମିତ ହେଲେ ୯୦ % କେଶ୍ରେ ଦୀର୍ଘସ୍ଥାୟୀ ହେପାଟାଇଟିସ ବି ରୋଗ ହୁଏ କିନ୍ତୁ ୫ ବର୍ଷ ବୟସ ପରେ ସଂକ୍ରମିତ ହେଲେ ୧୦ %ରୁ କମ୍ ଲୋକଙ୍କର ଏ ଭଳି ହୁଏ । [3] ଅଧିକାଂଶ ଦୀର୍ଘସ୍ଥାୟୀ ରୋଗୀ ଲକ୍ଷଣହୀନ ଥାଆନ୍ତି, କିନତୁ ସିରୋସିସ୍ ଓ ଯକୃତ କର୍କଟ ଅବଶେଷରେ ହୁଏ । [4] ଏହି ଜଟିଳତା ଯୋଗୁ ୧୫ରୁ ୨୫ % ଲୋକ ମୃତ୍ୟୁ ମୁଖରେ ପତିତ ହୁଅନ୍ତି । [1]
ହେପାଟାଇଟିସ ବି | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | B16., B18.0-B18.1 |
ଆଇସିଡ଼ି-୯-ସିଏମ୍ | 070.2-070.3 |
ଓଏମ୍ଆଇଏମ୍ | 610424 |
ରୋଗ ଡାଟାବେସ | 5765 |
ମେଡ଼ିସିନ-ପ୍ଲସ | 000279 |
ଇ-ମେଡ଼ିସିନ | med/992 ped/978 |
Patient UK | ହେପାଟାଇଟିସ ବି |
MeSH | D006509 |
ସଂକ୍ରମିତ ରକ୍ତ ଓ ଦେହ ତରଳ ପଦାର୍ଥ ସଂସ୍ପର୍ଶରେ ଆସିଲେ ଭୂତାଣୁ ସଞ୍ଚାରିତ ହୁଏ । ଅଧିକ ରୋଗ ଥିବା ସ୍ଥାନରେ ଜନ୍ମ ସମୟରେ ସଂକ୍ରମଣ କିମ୍ବା ପିଲାବେଳେ ରୋଗୀ ସଂସ୍ପର୍ଶରେ ଆସି ସଂକ୍ରମିତ ହେବା ଅତି ସାଧାରଣ କଥା । କ୍ୱଚିତ୍ ଦେଖାଯାଉଥିବା ସ୍ଥାନରେ ଶୀରାମାଧ୍ୟମ ନିଶା ଇଞ୍ଜେକ୍ସନ୍ ନେଲେ ଓ ଯୌନ ସମ୍ଭୋଗ ସମୟରେ ଏହା ସଞ୍ଚାରିତ ହୁଏ । [1] ସ୍ୱାସ୍ଥ୍ୟ ସେବାରେ କାମ କଲେ, ରକ୍ତ ଟ୍ରାନ୍ସଫ୍ୟୁଜନ୍, ଡାଏଲିସିସ୍, ସଂକ୍ରମିତ ଲୋକଙ୍କ ସହ ଏକତ୍ର ବାସ ଓ ଅତ୍ୟଧିକ ରୋଗ ପ୍ରବଣ ଦେଶମାନଙ୍କରେ ବୁଲିଲା ବେଳେ ଏହି ସଙ୍କଟାପନ୍ନ କାରକ ସୃଷ୍ଟି ହୁଏ । [1][3] ସନ ୧୯୮୦ରେ ଟାଟୁ ଓ ଆକୁପଙ୍କଚର୍ ଜରିଆରେ ଏହି ରୋଗ ଅନେକ ପରିମାଣରେ ବୃଦ୍ଧି ପ୍ରାପ୍ତ ହୋଇଥିଲା କିନ୍ତୁ ଉପଯୁକ୍ତ ବିଶୋଧନ ଫଳରେ ଏହାର ସଂଖ୍ୟା କମିଯାଇଛି । [5] ହାତ ଧରିଲେ, ଏକା ବାସନରେ ଖାଇଲେ, ଚୁମ୍ବନ ଦେଲେ, କୁଣ୍ଢେଇଲେ, କାଶିଲେ, ଛିଙ୍କିଲେ କିମ୍ବା ସ୍ତନ୍ୟପାନ କରେଇଲେ ଏହି ହେପାଟାଇଟିସ୍ ବି ଭୂତାଣୁ ଡିଏଁ ନାହିଁ । [3] ସଂକ୍ରମିତ ହେବାର ୩୦ରୁ ୬୦ ଦିନ ପରେ ରୋଗ ନିର୍ଣ୍ଣୟ କରିହୁଏ । ରକ୍ତ ପରୀକ୍ଷା କରି ଭୂତାଣୁର ଅଂଶ ଖୋଜିବା ଓ ଆଣ୍ଟିବଡି ଉପସ୍ଥିତି ଖୋଜି ରୋଗ ନିର୍ଣ୍ଣୟ କରାଯାଏ । [1] ହେପାଟାଇଟିସ୍ ଭୂତାଣୁ ଦଳରେ ଏ, ବି, ସି, ଡି, ଇ ଇତ୍ୟାଦି ପାଞ୍ଚ ପ୍ରକାର ଭୂତାଣୁ ଚିହ୍ନଟ କରାଯାଇଛି ।
ସନ ୧୮୮୨ରୁ ପ୍ରତିଷେଧ ଟିକା ଦେଇ ଏହି ରୋଗରୁ ରକ୍ଷା ମିଳି ପାରୁଛି । [1][6] ସମ୍ଭବ ହେଲେ ଜନ୍ମ ହେବାର ପ୍ରଥମ ଦିନରେ ଏହି ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ୍ କରୁଛି । ପୂର୍ଣ୍ଣ କାର୍ଯ୍ୟକାରୀତା ନିମନ୍ତେ ପରେ ଆଉ ୨ ବା ୩ ଡୋଜ ଦରକାର ହୁଏ । ଟିକା ୯୫ % ସମୟରେ ସଫଳ ହୁଏ । [1] ୨୦୦୬ ମସିହାରେ ୧୮୦ଟି ଦେଶ ଜାତୀୟ କାର୍ଯ୍ୟକ୍ରମ ହିସାବରେ ଟିକାକରଣ କରାଇଛନ୍ତି । [7] ରକ୍ତ ଟ୍ରାନ୍ସଫ୍ୟୁଜନ୍ ସମୟରେ ଏହି ରୋଗର ଉପସ୍ଥିତି ଜାଣିବା ନିମନ୍ତେ ପରୀକ୍ଷା ଆବଶ୍ୟକ । ସଂକ୍ରମଣ ରୋକିବାକୁ କଣ୍ଡୋମ ବ୍ୟବହାର କରାଯାଇ ପାରେ । ପ୍ରାରମ୍ଭିକ ରୋଗ ସମୟରେ ଲକ୍ଷଣ ଅନୁସାରେ ଯତ୍ନ ନିଆଯାଏ । ସ୍ଥାୟୀ ବା କ୍ରନିକ୍ ରୋଗ ଥିଲେ ଆଣ୍ଟିଭାଇରାଲ୍ ଔଷଧ ଯେପରିକି ଟେନୋଫୋଭିର୍ କିମ୍ବା ଇଣ୍ଟର୍ଫେରନ୍ ଉପକାରୀ ହୋଇପାରେ, କିନ୍ତୁ ଏଗୁଡ଼ିକ ଅତ୍ୟନ୍ତ ବ୍ୟୟସାପେକ୍ଷ । ସିରୋସିସ୍ ହୋଇଥିଲେ ବେଳେବେଳେ ଯକୃତ ଟ୍ରନ୍ସପ୍ଲାଣ୍ଟ ଉପଯୋଗୀ ହୁଏ । [1]
ପୃଥିବୀର ଏକ ତୃତୀୟାଂଶ ଲୋକ ଜୀବନରେ କେତେବେଳେ ହେଲେ ଏହି ରୋଗରେ ସଂକ୍ରମିତ ହୁଅନ୍ତି ଓ ୨୪୦ ନିୟୁତରୁ ୩୫୦ ନିୟୁତ ଲୋକ କ୍ରନିକ ରୋଗ ଭୋଗନ୍ତି । [1][8] ପ୍ରତି ବର୍ଷ ଏହି ରୋଗରେ ୭୫୦,୦୦୦ ଲୋକ ମରିଯାଆନ୍ତି । [1] ଆଞ୍ଚଳିକ ରୋଗ ଭାବେ ଏହା ପୂର୍ବ ଏସିଆ ଓ ସବ୍-ସାହାରାରେ ଅଛି ଓ ସେଠାରେ ୫ରୁ ୧୦ % ବୟସ୍କ କ୍ରନିକ ରୋଗୀ ଅଛନ୍ତି । ୟୁରୋପ ଓ ଉତ୍ତର ଆମେରିକାରେ ଏହାର ହାର ୧%ରୁ କମ୍ । [1] ପୂର୍ବରୁ ଏହାର ନାମ ସେରମ୍ ହେପାଟାଇଟିସ୍ ଥିଲା । [9] ଟିକା ମିଶ୍ରତ ଖାଦ୍ୟ ତିଆରି କରିବା ନିମନ୍ତେ ଗବେଷଣା ଚାଲିଛି । [10] ଏହି ରୋଗ ଅନ୍ୟ ପଶୁଙ୍କୁ (great apes) ମଧ୍ୟ ଆକ୍ରମଣ କରେ । [11]